Crime

ମୂରବୀ ଶୂନ୍ୟ କଣ୍ଟାମାଳ ଥାନା, ଥାନା ଅଧିକାରୀ ନିଯୁକ୍ତି କରାଯିବାକୁ ଦାବି 

 

 କଣ୍ଟାମାଳ, 01/03/24 (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲାରେ ଥିବା ସମସ୍ତ ଥାନା ମାନଙ୍କ ମଧ୍ୟରୁ ବଡ ଥାନା ଭାବରେ କଣ୍ଟାମାଳ ଥାନାକୁ ଗଣନା କରାଯାଏ | ହେଲେ ଏହି ଥାନାରେ ଦୀର୍ଘ ୩ ରୁ ୪ ସପ୍ତାହ ହେବ ଥାନା ଅଧିକାରୀ ନାହାଁନ୍ତି | ଯାହା ଫଳରେ କଣ୍ଟାମାଳ ଥାନା ଏବେ ଇନଚାର୍ଜରେ ଚାଲିଛି।ସୂଚନା ଥାଉ କି ଗତ ଫେବୃୟାରୀ ମାସ ୯ ତାରିଖରେ ଥାନା ଅଧିକାରୀ ଗୋପୀନାଥ ପ୍ରଧାନଙ୍କ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାକୁ ବଦଳି ହୋଇଯାଇଛି | ସେ ଫିରିଙ୍ଗିଆ ଥାନାରେ ଯୋଗଦେବା ପରେ ଉକ୍ତ ଥାନାକୁ ବଦଳ ଥାନା ଅଧିକାରୀ କେହି ଆସିନାହାନ୍ତି। ପ୍ରକାଶଯୋଗ୍ୟ ଯେ, ଏହି ଥାନା ଉପରେ କଣ୍ଟାମାଳ ବ୍ଲକ ର ପାଖାପାଖି ୧୦୦ଖଣ୍ଡ ଗ୍ରାମର ଲକ୍ଷାଧିକ ଜନ ସାଧାରଣ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ଭର କରିଥାନ୍ତି | ଗଞ୍ଜେଇ ଚୋରାଚାଲାଣ ର ପେଣ୍ଠସ୍ଥଳୀ କୁହା ଯାଉଥିବା ଏହି ଥାନା ଅଂଚଳରେ ଚୋରି , ଡକାୟତି , ରାହାଜାନି , ଲୁଟତରାଜ୍,ଆସାମାଜିକ କାର୍ଯ୍ୟ ଆଦି ଅପରାଧିକ କାର୍ଯ୍ୟକଳାପ ନିତିଦିନିଆ ଘଟଣା ହୋଇଥିବା ବେଳେ ଥାନା ଅଧିକାରୀ ନ ଥିବାରୁ ଅନେକ ମାମଲା ପଡ଼ି ରହିଛି | ଅନ୍ୟପଟେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଅନେକ ଅପରାଧିକ ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ବେଳେ ପୂର୍ବ ବର୍ଷ ମାନଙ୍କରେ ଅନେକ ମାମଲା ପଞ୍ଜୀକୃତ ହୋଇଥିବାର ମଧ୍ୟ ନଜିର ରହିଛି | ଆଉ କିଛି ସପ୍ତାହ ପରେ ନିର୍ବାଚନ ହେଉ ଥିବାରୁ କଣ୍ଟାମାଳ ଥାନାରେ ଥାନା ଅଧିକାରୀ ନିଯୁକ୍ତି ନ ଦେବା ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି | ସୂଚନା ଥାଉ କି ପୂର୍ବରୁ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ି ଥିବା ବେଳେ ଯୁବ ଦକ୍ଷ ପୋଲିସ ଅଧିକାରୀ ନଳିନୀକାନ୍ତ ଦାସଙ୍କୁ ଥାନା ଅଧିକାରୀ ଭାବରେ ନିଯୁକ୍ତି ଦିଆ ଯାଇଥିଲା | ଖୁବ୍ କମ୍ ସମୟ ମଧ୍ୟରେ ସେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପରେ ପରେ ତାଙ୍କୁ ବଦଳି କରି ଦିଆଗଲା | ପରେ ତାଙ୍କ ସ୍ଥାନରେ ଗୋପୀନାଥ ପ୍ରଧାନଙ୍କୁ ନିଯୁକ୍ତି ଦିଆଗଲା | ସେ ଅଞ୍ଚଳର ପରିସ୍ଥିତି ବିଷୟରେ ସମୀକ୍ଷା କରିବା ଅର୍ଥାତ ୬ ମାସ ନ ପୁରୁଣୁ ତାଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରି ଦିଆଗଲା | ଫଳରେ ଏଠାରେ ସୁରକ୍ଷା ବଳୟ ଭୁଷୁଡ଼ିବା ପୂର୍ବରୁ ଏବଂ କଣ୍ଟାମାଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜଣେ ଯୁବ ଓ ଦକ୍ଷ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି | ଆଗାମୀ ନିର୍ବାଚନ ଓ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ବୌଦ୍ଧ ଏସପି କଣ୍ଟାମାଳ ଥାନାରେ ଜଣେ ଯୁବ ଦକ୍ଷ ଥାନା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ସାଧାରଣରେ ଦାବି ହେଉଛି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button