Breaking News

ନୂଆପଡା ଉପନିର୍ବାଚନରେ ଭୋଟଗଣତି ପାଇଁ ଅଧିକାରୀ ମାନଙ୍କୁ ଶେଷ ତାଲିମ୍ ଦେବା ସହିତ ନିଯୁକ୍ତି ପତ୍ର ପ୍ରଦାନ l ମତଦାନ ଭଳି ଗଣତି ମଧ୍ୟ ସମ୍ପୁର୍ଣ୍ଣ ସ୍ବଚ୍ଛ ଓ ପାରଦର୍ଶୀ ହିସାବରେ ଅନୁଷ୍ଠିତ ହେବ – ଜିଲ୍ଲାପାଳ l 

ନୂଆପଡା ବିଧାନସଭା ଉପ ନିର୍ବାଚନରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଆନ୍ତରିକ ଉଦ୍ୟମ କ୍ରମେ ସୁଚାରୁ ରୂପେ ସମ୍ପନ୍ନ ହୋଇଛି lମତଦାନ ପରେ ସମସ୍ତ ୩୫୮ ଟି ବୁଥରୁ ଇ ଭି ଏମ୍ ଓ ଭି ଭି ପାଟ ମେସିନ୍ ସବୁ ଅଣା ଯାଇ ନେସନାଲ କଲେଜର ଷ୍ଟ୍ରଙ୍ଗ ରୁମ୍ ରେ ରଖାଯାଇଛି l ଆସନ୍ତା କାଲି ୧୪ ତାରିଖରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି l ଆଜି ଏ ସମ୍ବନ୍ଧରେ ଭୋଟ ଗଣନା ରେ ନିୟୋଜିତ ହେବାକୁ ଥିବା କାଉଣ୍ଟିଙ୍ଗ ସୂପରଭାଇଜର, ଆସିଷ୍ଟାଣ୍ଟ ଏବଂ ମାଇକ୍ରୋ ଅବ୍ଜର୍ଭର ମାନଙ୍କୁ ଆବଶ୍ୟକ ଅନ୍ତିମ ତାଲିମ୍ ପ୍ରଦାନ କରାଯାଇଛିl ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ଅଧିକାରୀ ମାନଙ୍କୁ ସ୍ବାଗତ କରି କହିଲେ ଯେ ଜିଲ୍ଲା ପ୍ରଶାସନ ସମସ୍ତ ଅଧିକାରୀ ମାନଙ୍କ ସହଯୋଗରେ ସମୁଚିତ ପ୍ରୟାସ କରିଥିବାରୁ ନୂଆପଡା ଏହି ଉପନିର୍ବାଚନରେ ୮୩.୪୫ ପ୍ରତିଶତ ମତଦାନ କରି ସମଗ୍ର ଦେଶରେ ପୋଲିଂ ରେ ଏକ ନମ୍ବର ସ୍ଥାନରେ ରହିଛି l ଏହି ସଫଳତା ପାଇଁ ସେ ସମସ୍ତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ସେ କହିଲେ ଯେ ଆସନ୍ତା କାଲି୧୪ ତାରିଖରେ ଭୋର୍ ୦୫.୦୦ ଘଣ୍ଟା ସମୟରେ NIC ପକ୍ଷରୁ ରାଣ୍ଡ ମାଇଯେସନ୍ ଦ୍ଵାରା କେଉଁ ଟେବୁଲ୍ ରେ କେଉଁ ଗଣନା ଅଧିକାରୀ ରହିବେ ଏହା ସ୍ଥିର କରାଯିବ l ଭୋଟ ଗଣତି କେନ୍ଦ୍ର ନେସନାଲ କଲେଜରେ ୨୪ x ୭ ରେ ଦୃଢ ତ୍ରିସ୍ତରୀୟ ସୁରକ୍ଷାରେ ଷ୍ଟ୍ରଙ୍ଗ ରୁମ ମଧ୍ୟରେ ଥିବା ସମସ୍ତ EVM ଓ VVPAT ମେସିନ୍‌ ଗୁଡ଼ିକ କାଉଣ୍ଟିଙ୍ଗ ହଲ୍ କୁ ଅଣାଯିବ l ଏଥି ପାଇଁ ୧୪ ଟି ଗଣତି ଟେବୁଲ୍ ଓ ଡାକ ମତପତ୍ର ଗଣନା ପାଇଁ ଗୋଟିଏ ଟେବୁଲ୍ ରହିବ l ପ୍ରଥମେ ପୋଷ୍ଟାଲ ବେଲଟ ସକାଳ ୮.୦୦ ଘଣ୍ଟା ସମୟରେ ଗଣାଯିବ। ତା’ପରେ ୮.୩୦ ରେ EVM ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡ ରେ ସମାପ୍ତ ହେବ l ଭୋଟିଂ ମେସିନ୍ ର ତଥ୍ୟ କୁ ଫର୍ମ ୧୭ ସି ସହିତ ମେଳ କରାଯିବ l ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର VVPAT ସ୍ଲିପ୍‌ଗୁଡ଼ିକ ଗଣାଯାଇ ପାରଦର୍ଶିତା ପାଇଁ EVM ଫଳାଫଳ ସହ ମେଳ କରାଯିବ l ଗଣତି ସମୟରେ ପ୍ରାର୍ଥୀ କିମ୍ବା ସେମାନଙ୍କ ମନୋନୀତ ବ୍ୟକ୍ତି ଏଜେଣ୍ଟ ରହିବେ l କାଉଣ୍ଟିଙ୍ଗ ଅଧିକାରୀ ମାନେ ସବୁବେଳେ ଏଜେଣ୍ଟ ମାନଙ୍କୁ ବିଶ୍ୱାସକୁ ନେଇ ଗଣତି କରିବେ l ଗଣତି ପ୍ରକ୍ରିୟାରେ ସେମାନଙ୍କ ସନ୍ଦେହ ମୋଟେ ରହିବା କଥା ନୁହେଁ l ଗଣତି କକ୍ଷକୁ କେହି ମୋବାଇଲ୍ ନେଇ ପାରିବେ ନାହିଁ l ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ପ୍ରତି ରାଉଣ୍ଡ ଗଣତି ଶେଷରେ ସୂଚନା ପ୍ରଦାନ କରାଯିବ l ସେମାନେ ପର୍ଯ୍ୟାୟ କ୍ରମେ ଗଣତି କେନ୍ଦ୍ରକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ସହିତ ଯାଇ ଭିଜୁଆଲ ନେଇ ପାରିବେ l 

ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ (Returning Officer) ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ନିର୍ବାଚନ ପ୍ରମାଣ ପତ୍ର (Certificate of Election) ପ୍ରଦାନ କରାଯିବ। ନିଜ ଦୀର୍ଘ ପ୍ରଶାସନିକ ଅଭିଜ୍ଞତାରୁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଭୋଟ ଗଣନା ସମ୍ବନ୍ଧୀୟ ବିଭିନ୍ନ ବ୍ୟବହାରିକ ସମସ୍ୟା ଓ ତାର ସମାଧାନର ରାସ୍ତା ବତାଇ ଥିଲେ l ଏହାପରେ ଗଣତି ଅଧିକାରୀ ମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଓ ଉପ ଜିଲ୍ଲାପାଳ ସୂର୍ମି ସୋରେନ୍ ଅଧିକାରୀ ମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରିଥିଲେ l ଭୋଟ ଗ୍ରହଣ ଭଳି ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରି ଜନସାଧାରଣଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ l

Related Articles

Back to top button