Breaking News

ନୂଆପଡା ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ମତଦାନ ସହିତ ଭୋଟ ଗ୍ରହଣ ସମ୍ପନ୍ନ l ୧୪ ତାରିଖରେ ଭୋଟଗଣତି ହେବ l ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ ସୂଚନା ଦେଲେ l 

ନୂଆପଡା, ତା ୧୨/୧୧

ନୂଆପଡା ବିଧାନସଭା ଉପନିର୍ବାଚନରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନର ଆନ୍ତରିକ ଉଦ୍ୟମ କ୍ରମେ ସୁଚାରୁ ରୂପେ ସମ୍ପନ୍ନ ହୋଇଛି l ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଭାସୀ ମାଧ୍ୟମରେ ଦିଗ୍ ଦର୍ଶନ ସହିତ ସଂପୂର୍ଣ୍ଣ ସ୍ୱଚ୍ଛ ଓ ପାରଦର୍ଶୀ ଭାବରେ ମତଦାନ ହୋଇଥିଲା l ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୂର୍ବ ପ୍ରସ୍ତୁତି ସହିତ ପ୍ରତ୍ୟେକଟି କାର୍ଯ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପାଦିତ ହୋଇଥିଲା l ମତଦାନ ପରେ ସମସ୍ତ ୩୫୮ ଟି ବୁଥ ରୁ ଇ ଭି ଏମ୍ ଓ ଭି ଭି ପାଟ ମେସିନ୍ ପୋଲିଂ ଅଧିକାରୀ ମାନେ ଯତ୍ନର ସହିତ ଆଣିଥିଲେ l ଏଗୁଡ଼ିକୁ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ହେପାଜତ୍ ରେ କଡା ନିରାପତ୍ତା ମଧ୍ୟରେ ସ୍ଥାନୀୟ ନେସନାଲ କଲେଜ ର ଷ୍ଟ୍ରଙ୍ଗ ରୁମ୍ ରେ ରଖାଯାଇଛି l ଆସନ୍ତା ୧୪ ତାରିଖରେ ସେଠାରେ ଭୋଟ ଗଣତି ପାଇଁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ ହୋଇଛି l ଆଜି ଏ ସମ୍ବନ୍ଧରେ ଜିଲ୍ଲାପାଳ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିର୍ଦ୍ଧାରିତ ନିୟମ ଅନୁସାରେ ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି l ନିର୍ବାଚନ ରେ ୨,୫୪,୪୯୭ ଜଣ ଭୋଟର୍ ଥିଲାବେଳେ ସେମାନଙ୍କ ମଧ୍ୟରୁ ୧,୦୩,୮୧୭ ଜଣ ପୁରୁଷ,୧,୦୮,୫୬୩ ଜଣ ମହିଳା ଏବଂ ୫ ଜଣ ତୃତୀୟ ଲିଙ୍ଗି ଭୋଟ ଦେଇଛନ୍ତି l ରେକର୍ଡ ସଂଖ୍ୟକ ୮୩.୪୫ ପ୍ରତିଶତ ମତଦାନ ହୋଇଛି l ଭୋଟ ଗଣନାରେ ନିୟୋଜିତ ହେବାକୁ ଥିବା ପୋଲିଂ ସୂପରଭାଇଜର, ସହାୟକ ଏବଂ ମାଇକ୍ରୋ ଅବ୍ଜର୍ଭର ମାନଙ୍କୁ ଆବଶ୍ୟକ ତାଲିମ୍ ପ୍ରଦାନ କରାଯାଇଛିl ୧୪ ତାରିଖରେ ଭୋଟ ଗଣତି କେନ୍ଦ୍ର ନେସନାଲ କଲେଜରେ ୨୪ x ୭ ରେ ଦୃଢ ତ୍ରିସ୍ତରୀୟ ସୁରକ୍ଷାରେ ଷ୍ଟ୍ରଙ୍ଗ ରୁମ ମଧ୍ୟରେ ଥିବା ସମସ୍ତ EVM ଓ VVPAT ମେସିନ୍‌ ଗୁଡ଼ିକ କାଉଣ୍ଟିଙ୍ଗ ହଲ୍ କୁ ଅଣାଯିବ l ଭୋଟ ଗଣନା ପ୍ରକ୍ରିୟା ରିଟର୍ଣିଂ ଅଫିସର୍ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରନ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବ l ଏଥି ପାଇଁ ୧୪ ଟି ଗଣତି ଟେବୁଲ୍ ଓ ଡାକ ମତପତ୍ର ପାଇଁ ଗୋଟିଏ ଟେବୁଲ୍ ରହିବ l ପ୍ରଥମେ ପୋଷ୍ଟାଲ ବେଲଟ ସକାଳ ୮.୦୦ ଘଣ୍ଟା ସମୟରେ ଗଣାଯିବ। ତା’ପରେ ୮.୩୦ ରେ EVM ମେସିନ୍‌ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡ ରେ ସମାପ୍ତ ହେବ l ଭୋଟିଂ ମେସିନ୍ ର ତଥ୍ୟ କୁ ଫର୍ମ ୧୭ ସି ସହିତ ମେଳ କରାଯିବ l ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର VVPAT ସ୍ଲିପ୍‌ଗୁଡ଼ିକ ଗଣାଯାଇ EVM ଫଳାଫଳ ସହ ମେଳ କରାଯିବ, ଯାହା ଫଳାଫଳର ପାରଦର୍ଶିତା ଓ ନିଷ୍ପକ୍ଷତାକୁ ସୁନିଶ୍ଚିତ କରିବ। ଗଣତି ସମୟରେ ପ୍ରାର୍ଥୀ କିମ୍ବା ସେମାନଙ୍କ ମନୋନୀତ ବ୍ୟକ୍ତି ରହିବେ l ଗଣ ମାଧ୍ୟମର ପ୍ରତିନିଧି ମାନଙ୍କୁ ପ୍ରତି ରାଉଣ୍ଡ ଗଣତି ଶେଷରେ ସୂଚନା ପ୍ରଦାନ କରାଯିବ l ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ l ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ l ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ (Returning Officer) ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ(Certificate of Election) ପ୍ରଦାନ କରାଯିବ। ଭୋଟ ଗ୍ରହଣ ଦିନ ଭଳି ସମ୍ପୂର୍ଣ ଶାନ୍ତି ଶୃଙ୍ଖଳା ସହିତ ଭୋଟ ଗଣତି ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି l

Related Articles

Back to top button