Breaking News

ହେ ସଂଗୀତ ସୁଧାକର :  ତୁମକୁ କୋଟି ନମସ୍କାର 

– ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ –

” ୧୯୬୭ ମସିହାର କଥା। ମୁଁ ମୋ ସ୍ତ୍ରୀଙ୍କ ସହିତ ମୋର ପରମପୂଜ୍ୟ ଗୁରୁଦେବ ଶ୍ରୀ ଶ୍ରୀ ଠାକୁରଙ୍କୁ ଦର୍ଶନ କରିବାକୁ ଦେଓଘର ଯାଇଥାଏ।ମତେ ଦେଖିବା କ୍ଷଣି ଶ୍ରୀଶ୍ରୀ ଠାକୁର ଭାବବିହ୍ୱଳ ହୋଇଯାଇ ପାଖକୁ ଡ଼ାକି ବସାଇଲେ ଏବଂ ସଂଗେ ସଂଗେ ପୂର୍ବ ନିର୍ଦ୍ଧାରିତ ମନ୍ତ୍ରୀଙ୍କ ସାକ୍ଷାତକାର କାର୍ଯ୍ୟକ୍ରମକୁ ବାତିଲ କରି ମୋ ଠାରୁ ଗୀତ ଶୁଣିବାକୁ ଇଚ୍ଛା କଲେ।ମୁଁ କେତୋଟି

ଓଡ଼ିଆ ଗୀତ,ହିନ୍ଦୀ ଭଜନ ଗାଇ ଶୁଣାଇଲି ।ଠାକୁର ଖୁବ୍ ଖୁସି ହେଲେ ଏବଂ ପରଦିନ

ପୁଣି ମୋ’ଠାରୁ ଗୀତ ଶୁଣିବେ ବୋଲି କହିଲେ।ମୁଁ ପରଦିନ ଯିବାରୁ ଠାକୁର କବି

ଜୟଦେବ କୃତ “ଗୀତ ଗୋବିନ୍ଦ” ରୁ ଦଶାବତାର ଗାଇବା ପାଇଁ ନିର୍ଦ୍ଦେଶ ଦେଲେ। ମୁଁ ମନପ୍ରାଣ ଦେଇ ଗାଉଥାଏ, ଦଶଟା ପଦରେ ଯେଉଁ ଯେଉଁ ଅବତାରଙ୍କ 

କଥା ଆସୁଥାଏ,ଠାକୁରଙ୍କ ମୁଖମଣ୍ଡଳରେ ଅନୁରୂପ ପରିବର୍ତ୍ତନ ମଧ୍ୟ ଆସୁଥାଏ।ତାଙ୍କ ଆଖି ଓ କପାଳ ସୁନ୍ଦର ଭାବରେ କୁଞ୍ଚିତ ହୋଇ ବିଭିନ୍ନ ଅବତାରର ଦୃଶ୍ୟରେ ମୋତେ ବିମୋହିତ କରୁଥାଏ। ଯେତେବେଳେ ମୁଁ କଳ୍କୀ ଅବତାର ଗାଇଲି,ସେତେବେଳେ ଠାକୁରଙ୍କ ମୁଖମଣ୍ଡଳର ଭୟାନକ ଦୃଶ୍ୟ ଦେଖି ମୁଁ ଆଉ ଧୈର୍ଯ୍ୟ ଧରି ପାରିଲି ନାହିଁ।ଠାକୁରଙ୍କ ଆଖି ଭିତରୁ ଏକ ଦିବ୍ୟ ଜ୍ୟୋତି ଭାସି ଆସୁଥିଲା।ମୁଁ ଥରିବାକୁ ଲାଗିଲି।ମୋ ତନୁମନରେ ଏକ ଅପୂର୍ବ ଦିବ୍ୟ ପୁଲକ ଖେଳିଗଲା।ମୁଁ ମୁଗ୍ଧ ଚକିତ ହୋଇ ତାଙ୍କ

ଶ୍ରୀଚରଣ ତଳେ ଲୋଟି ପଡ଼ିଲି।ଠାକୁର ମୋତେ ବହୁତ ଆଶୀର୍ବାଦ କଲେ।ଏହି ଅଲୌକିକ ଘଟଣାଟି ମୋ ସଂଗୀତକାର ଜୀବନର ସର୍ବଶ୍ରେଷ୍ଠ ଅବିସ୍ମରଣୀୟ ଅନୁଭୂତି।”

   ଉପରୋକ୍ତ ଉଦ୍ଧୃତିଟି ଥିଲା ଓଡ଼ିଶାର ସ୍ୱନାମଧନ୍ୟ ସଂଗୀତକାର ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ଅମୂଲ୍ୟ ଜୀବନାନୁଭୂତି ପ୍ରସୂତ ଅମିୟ ଗଦ୍ୟ ଝଙ୍କାରର ସମ୍ମିଳିତ ଶବ୍ଦାବଳୀ।

   ସତରେ ବାଳକୃଷ୍ଣ ଦାଶ ଥିଲେ ଉତ୍କଳ

ସଂଗୀତ ସାମ୍ରାଜ୍ୟର ଜଣେ ଅପ୍ରତିଦ୍ଵନ୍ଦୀ ସମ୍ରାଟ।ସେ ଜୀବନର ସବୁତକ ଅମୂଲ୍ୟ ସମୟକୁ ସଂଗୀତ ସାଧନାରେ ବିତାଇ ଦେଇଥିଲେ।ଓଡ଼ିଶୀ ସଂଗୀତକୁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇ ଥିଲେ। ଉତ୍କଳର ସଂଗୀତ ପରମ୍ପରାକୁ ସେ ସ୍ଵୟଂସଂପୂର୍ଣ୍ଣ ତଥା ସର୍ବାଙ୍ଗ ସୁନ୍ଦର କରି ରୂପ ଦେଇଥିଲେ।

ତାଙ୍କ ମୂରବୀପଣିଆର ପବିତ୍ର ପ୍ରୀତିମୟତାକୁ ପାଥେୟ କରି ଗଢ଼ି ଉଠିଥିଲା ଏକ ଅନନ୍ୟ ସଂଗୀତ ପରିବାର। ତାଙ୍କ ସାଧନାଦୀପ୍ତ ତଥା ସଂସ୍କୃତି ସମ୍ପନ୍ନ ଦିବ୍ୟ ଜୀବନ-ପ୍ରବାହ ନାନା ଘାତ ପ୍ରତିଘାତ ମଧ୍ୟରେ ଗତି କରିଥିଲା।ସେ ଥିଲେ ଜଣେ ସୁଯୋଗ୍ୟ ଶିଷ୍ୟ,ଆଦର୍ଶପ୍ରାଣ ଗୁରୁ,ସଫଳ ସଂଗୀତ ନିର୍ଦ୍ଦେଶକ,ସର୍ବଜନାଦୃତ ଗାୟକ, ଧର୍ମପ୍ରାଣ ଭକ୍ତ ସର୍ବୋପରି ଜଣେ ମିଷ୍ଟଭାଷୀ ଦରଦୀ ମଣିଷ।

       ପୁରୀ ଜିଲ୍ଲାର ବସନ୍ତପେଡ଼ି ଗ୍ରାମରେ

ପିତା ଦୀନବନ୍ଧୁ ଦାଶଙ୍କ ଔରସରୁ ମାତା କମଳା ଦେବୀଙ୍କ ଗର୍ଭରୁ ୧୯୨୩ ମସିହାରେ ଜନ୍ମ ଗ୍ରହଣକରିଥିଲେ ବାଳକୃଷ୍ଣ ଦାଶ।ଅତି ଛୋଟବେଳୁ ସେ ସଂଗୀତକୁ ନିଜର ସଙ୍ଗାତ ଭାବରେ ଗ୍ରହଣ କରି ନେଇଥିଲେ। ସଙ୍ଗୀତକୁ ନିଜ ଜୀବନ ପରି ଭଲପାଉଥିଲେ।ତାଙ୍କ ସଙ୍ଗୀତମୟ ଜୀବନକୁ ସୁଚାରୁ ରୂପେ ପରିଚାଳନା କରିବାର ଦାୟିତ୍ବ ବହନ କରିଥିଲେ ଓଡ଼ିଶୀ ସଙ୍ଗୀତ ବିଶାରଦ ଗୁରୁ

ଗୋକୁଳଚନ୍ଦ୍ର ଶ୍ରୀଚନ୍ଦନ। ଗୋକୁଳଚନ୍ଦ୍ରଙ୍କ ଶ୍ରଦ୍ଧାଯୁକ୍ତ ଆତ୍ମିୟତା ତାଙ୍କ ପ୍ରତିଭାର ଉତ୍ତରଣକୁ ଅଧିକରୁ ଅଧିକ ସମୃଦ୍ଧି ପଥରେ ଆଗେଇ ନେଇଥିଲା।ଗୁରୁ ଗୋକୁଳଚନ୍ଦ୍ରଙ୍କ ବ୍ୟତୀତ ଅନ୍ୟ ତିନିଜଣ ଗୁରୁଙ୍କ ଠାରୁ ଯଥାକ୍ରମେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ତଥା ସଙ୍ଗୀତ ନିର୍ଦ୍ଦେଶନା ସମ୍ପର୍କରେ ଶିକ୍ଷାଲାଭ କରିଥିଲେ।ସେମାନେ ହେଲେ ଓସ୍ତାଦ୍ ବଡେ ଗୁଲାମ ଅଲ୍ଲୀ ଖାଁ,ଗୁରୁ କ୍ଷୀତିଶ୍ ଚନ୍ଦ୍ର

ମୈତ୍ର ଏବଂ ରାଇଚାନ୍ଦ୍ ବଡାଲ। ବାଳକୃଷ୍ଣ ସଙ୍ଗୀତର ଶୀର୍ଷତମ ସ୍ୱପାନରେ ପହଞ୍ଚି ପାରିଥିଲେ।ତାଙ୍କ ବଳିଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ଓଡ଼ିଶାର ସଂଗୀତ ପ୍ରେମୀମାନଙ୍କୁ ଅଗଣିତ ଅମୂଲ୍ୟ ସଙ୍ଗୀତ ଭେଟି ଦେଇଥିଲା।ସେଇ ଲୋକପ୍ରିୟ ଅମୂଲ୍ୟ ସଙ୍ଗୀତର ସୁମଧୁର ସ୍ୱର ଝଙ୍କାର ଏବେ ମଧ୍ୟ ଅନୁରଣିତ ହୁଏ।ତାଙ୍କ ” ଫୁଲ ରସିଆରେ…”,ଆଜି ଆକାଶେ କି ରଙ୍ଗ ଲାଗିଲା…”,” ଶରଣ ନଦେଲେ ମରଣ ଦିଅ ହେ…” ପ୍ରଭୃତି ଲୋକପ୍ରିୟ ଗୀତଗୁଡ଼ିକ ଏବେବି ଆକାଶବାଣୀ,ଦୂରଦର୍ଶନ ତଥା ଅନ୍ୟାନ୍ୟ ଆଧୁନିକ ଗଣମାଧ୍ୟମରେ ତାଙ୍କ ମହନୀୟତାର ମହକକୁ ବିତରୁଛନ୍ତି।ସେ ଥିଲେ ଆମ ରାଜ୍ୟର ପ୍ରଥମ ଓଡ଼ିଆ,ଯିଏ ସର୍ବପ୍ରଥମେ ଆକାଶବାଣୀ କଲିକତା କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରି ସେସମୟରେ ଅନେକ ଲୋକପ୍ରିୟତା ଅର୍ଜନ କରିଥିଲେ। ଆକାଶବାଣୀ କଟକରେ ସେ ପ୍ରଥମରୁ ଷ୍ଟାପ୍ ଆର୍ଟିଷ୍ଟ ଭାବରେ ଯୋଗଦେଇ ବେଶ୍ କିଛିଦିନ ଯାଏଁ ସଫଳତାର ସହ ସଂଗୀତ ପରିବେଷଣ ତଥା ପରିଚାଳନା କରିଥିଲେ।ଆକାଶବାଣୀ ତାଙ୍କ ପ୍ରତିଭା ବିକାଶର ସର୍ବଶ୍ରେଷ୍ଠ ମାଧ୍ୟମ ରୂପେ ପରିଗଣିତ ହୋଇଥିଲା।ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ,ଓଡ଼ିଶୀ ଗବେଷଣା କେନ୍ଦ୍ର,କଳାବିକାଶ କେନ୍ଦ୍ର ସମେତ ବହୁ ପ୍ରତିଷ୍ଠିତ ସଙ୍ଗୀତ ଅନୁଷ୍ଠାନରେ ନିଷ୍ଠାପର ଭାବେ ସଂଗୀତ ଶିକ୍ଷକ ସାଜି ଅନେକ ପ୍ରତିଭାବାନ୍ ସଙ୍ଗୀତ ଶିଳ୍ପୀ ସୃଷ୍ଟି କରିଥିଲେ।ସେ “ଶ୍ରୀଲୋକନାଥ,ଅମଡ଼ାବାଟ ପ୍ରଭୃତି ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ସଫଳତାର ସହ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।ତାଙ୍କ ପ୍ରତିଭାଦୀପ୍ତ ଜୀବନକୁ ଗୌରବ ବିମଣ୍ଡିତ କରିଥିଲା ବହୁ ସମ୍ବୋଧନ।ସେ ଥିଲେ ଏକାଧାରରେ ସଂଗୀତ ସୁଧାକର – ସୁରସିଂହାରୀ – ପଦ୍ମକେଶରୀ ବାଳକୃଷ୍ଣ ଦାଶ।ତାଙ୍କ ଜୀବନବ୍ୟାପୀ ସଙ୍ଗୀତ ନିରାଜନାକୁ ସ୍ଵୀକୃତି ଜଣାଇବା ପାଇଁ ତାଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ବହୁବାର ପୁରସ୍କୃତ କରାଯାଇଛି।ସେ ମଧ୍ୟ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ଏତତ୍ ବ୍ୟତୀତ “ଜୟଦେବ” ପୁରସ୍କାର,” ମୋହନ ସୁନ୍ଦର ଦେବ ଗୋସ୍ୱାମୀ” ପୁରସ୍କାର,”ତୁଳସୀ” ସମ୍ମାନ,”ବିଷୁବ ସମ୍ମାନ” ପ୍ରଭୃତି ବହୁ ମର୍ଯ୍ୟାଦାପୂର୍ଣ୍ଣ ପୁରସ୍କାର ଲାଭ କରିଥିଲେ।

ଏବେ ଆମ ସଙ୍ଗୀତ ପାରମ୍ପାରିକ ମହନୀୟତାକୁ ପରିହାର କରି ଅପସଂସ୍କୃତି କୁ ଆପଣେଇ ନେଇଛି । ଶସ୍ତା ସଙ୍ଗୀତର ଜୁଆରରେ ଅତୀତର ବହୁ ଲୋକପ୍ରିୟ ସଙ୍ଗୀତର ସ୍ଵରଲିପି ଏବେ ଲିଭି ଲିଭି ଯାଉଛି। ପାଶ୍ଚ୍ୟାତ ସଙ୍ଗୀତକୁ ଅନୁକରଣ କରୁ କରୁ ଆମ ସଙ୍ଗୀତର ଆଙ୍ଗିକ ଆବେଦନ ଏବେ ବିକଳାଙ୍ଗ ହେବାରେ ଲାଗିଛି। ଆତ୍ମୀୟ ମୂଲ୍ୟବୋଧ ମଧ୍ୟ କଳୁଷିତ ହେବାରେ ଲାଗିଛି।ଆମ ଓଡ଼ିଆ ସଂଗୀତର ଏହି ଘୋର୍ ଦୁର୍ଦ୍ଦିନରେ ଏବେ ବାଳକୃଷ୍ଣଙ୍କ କଥା ବେଶ୍ ମନେ ପଡୁଛି।ତାଙ୍କ କଣ୍ଠ ନିସୃତ କାଳଜୟୀ ସଙ୍ଗୀତ ଗୁଡ଼ିକର ସୁଲଳିତ ସ୍ୱର ଝଙ୍କାର ଏବେ ମଧ୍ୟ ମନପ୍ରାଣକୁ ଛୁଇଁ ଛୁଇଁ ଯାଉଛି।କାଳ ବକ୍ଷରେ ସିନା ହଜି ଯାଇଛି ତାଙ୍କ ରକ୍ତ ମାଂସ ସଙ୍କୁଳ କଳେବର।ହେଲେ, ତାଙ୍କ ଅମର ପ୍ରତିଭାର ମହ ମହ ବାସ୍ନା ଏବେ ଏଠି, ସେଠି,ସବୁଠି ତାଙ୍କ ଉପସ୍ଥିତିକୁ ଜୀବନ୍ମମୟ କରି ତୋଳୁଛି।ଆଜି ନଭେମ୍ବର ୧୩ ତାରିଖ ତାଙ୍କ ଶ୍ରାଦ୍ଧଦିବସ।ତେଣୁ ଆସନ୍ତୁ ଆଜିର ଏହି ପବିତ୍ର ଦିବସରେ ସେଇ ପୁଣ୍ୟାତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ସମ୍ମିଳିତ ଭାବେ ଗାଇ ଉଠିବା – ” ହେ ସଂଗୀତ ସୁଧାକର/ ତୁମକୁ କୋଟି ନମସ୍କାର।” ।

      କଣ୍ଟାବଣିଆ, ଛତ୍ରପଡ଼ା,ପ୍ରୀତିପୁର,

ଯାଜପୁର,ମୋ – 

Related Articles

Back to top button