କାର ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

ସିନାପାଲି: ୧୨/୧୧ (ପରମେଶ୍ୱର ମେହେର) ନୂଆପଡ଼ା ଜିଲ୍ଲାର ସିନାପାଲି ସଦର ଅଞ୍ଚଳର ବିଜୁ ଏକ୍ସପ୍ରେସ ୱେରେ ଭାଟି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଥିରେ ଜଣେ ବାଇକ ଚାଳକ କାର ଧକ୍କାରେ ଗୁରୁତର ଆହତ ହୋଇ, ପରେ ଚିକିତ୍ସାଳୟକୁ ନେବା ବେଳେ ମୃତ୍ୟୁ ବରଣ କରିଛନ୍ତି । ମୃତ ଯୁବକଙ୍କ ଚିହ୍ନଟ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲିପା ଗ୍ରାମର ହୃଷିକେଶ ସା (ବୟସ୍ ପ୍ରାୟ ୩୦) ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁସାରେ, ସେ ଫୁରସୁଣ୍ଡ ଗ୍ରାମକୁ ଏକ ଦଶାହ କାର୍ଯ୍ୟରେ ଯାଉଥିବା ବେଳେ, ତାଙ୍କ Hero HF Delux ବାଇକ (ନଂ– OD 08 W 1805) କୁ ଏକ କାର (ନଂ– OD 08 V 4153) ମୁହାଁମୁହିଁ ଧକ୍କା ଦେଇଥିଲା । ଉକ୍ତ କାର ଧର୍ମଗଡର ହୋଇଥିବା ସହିତ ବୋଡ଼େନ ପଟୁ ଆସୁଥିଲା ବୋଲି ଜଣାପଡ଼ିଛି । ଘଟଣା ସମୟରେ ସେହି ସ୍ଥାନରେ ଥିବା ଏକ ଅଟୋ (ନଂ– OD 26A 1587) କୁ ମଧ୍ୟ ଉକ୍ତ କାର ଧକ୍କା ଦେଇଥିଲା । ଖବର ପାଇ ସିନାପାଲି ଥାନାଧିକାରୀ ଓ ପୋଲିସ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତ୍ତି କରିଥିଲେ । ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲାବେଳେ ଭେଳା ନିକଟରେ ସେ ମୃତ୍ୟୁ ବରଣ କରିଥିଲେ । ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ଘଟଣା ସମ୍ବନ୍ଧରେ ତଦନ୍ତ ଆରମ୍ଭ ହୋଇଛି । ସିନାପାଲି ବିଜୁ ଏକ୍ସପ୍ରେସ ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ସେହି ଅଞ୍ଚଳରେ ତୀବ୍ର ଗତି ଲୋକେ ଯାତାୟାତ କରୁଛନ୍ତି ଏବଂ ପରିବା ବଜାର ଅଛି ସେଥିପାଇଁ ମଧ୍ୟ ଏପରି ଦୁର୍ଘଟଣା ସାଧାରଣ ଘଟୁଛି, ଯାହା ପାଇଁ ପ୍ରଶାସନଙ୍କୁ ଯାତାୟାତ ନିୟନ୍ତ୍ରଣ ବୃଦ୍ଧି କରିବା ଦାବି କରାଯାଇଛି ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ




