

ନିରାଶ୍ରୟ ପରିବାର ପାଇଁ ଆଦିବାସୀ ନେତା ହିଁ କାଳ,
_ବାସନ୍ଦ ପରିବାରର ନ୍ୟାୟ ଏବଂ ସୁରକ୍ଷା ପାଇଁ ବିଶୋଇ ଥାନା ଅଧିକାରୀ ନୀରବ ।
ଆଦିବାସୀ ନେତାଙ୍କ ପାଇଁ ସମାଜରେ ଅଶାନ୍ତି*
ସଦସ୍ଯଙ୍କୁ ମରଣାନ୍ତକ ମାରପିଟ୍ ଆକ୍ରମଣ କରାଯାଇ ତାଙ୍କର ନିଜ ଘରରୁ ଘୋଷାରି ବାହାର କରି ଗାଁରୁ ତଡି ଦିଆଯାଇଥିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ।
ବାରିପଦା,୨୮।୧୦ : ସେଙ୍ଗେଲ ପ୍ରଦେଶ ପାର୍ଗାନା ଓଡ଼ିଶା ସହ ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ ସଭାପତି ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ୱରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ କୁହାଯାଇଛି ଯେ, ତା.21.09.2025 ରିଖଠାରୁ ବିଶୋଇ ଥାନା ଅନ୍ତର୍ଗତ ରୁଗୁଳିଡିହି ଗ୍ରାମର ସାମାଜିକ ବାସନ୍ଦ ପରିବାର ଶ୍ରୀମତୀ ନାକୀ ଟୁଡୁ ଏବେ ତାଙ୍କର ସ୍ୱାମୀ ଏବଂ ଦୁଇଗୋଟି ନାବାଳକ ସହିତ ପରର ଘର ବାରଣ୍ଡାରେ ଜୀବନ ବିତାଉଛନ୍ତି । ଏହିପରି ଦୁଃଖଦ ଜୀବନ-ମରଣ ଘଟଣାରେ ବିଶୋଇ ଥାନା ଅଧିକାରୀଙ୍କ ତରଫରୁ ନିରାଶ୍ରୟ ବାସନ୍ଦ ପରିବାରକୁ କୌଣସି ନ୍ୟାୟ ଏବଂ ସୁରକ୍ଷା ଦିଆଯାଇ ପାରୁନାହିଁ ।
ଦ୍ଵିତୀୟ ପଟେ ପୁର୍ବତନ ସାଂସଦ ଆଦିବାସୀ ନେତା ଶ୍ରୀ ରାମଚନ୍ଦ୍ର ହାଁସଦାଃ ଉକ୍ତ ଘଟଣାରେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି । ରୁଗୁଳିଡିହି ଗ୍ରାମରେ ଗୁଣ୍ଡାରାଜ ଚଳାଉଥିବା ଲୋକମାନଙ୍କୁ ଉସୁକାଇବା ସହିତ ଥାନାକୁ ଯାଇ ମାରପିଟ୍ କରୁଥିବା ଗୁଣ୍ଡାମାନଙ୍କୁ ସହଯୋଗ କରୁଛନ୍ତି ବୋଲି ସେଙ୍ଗେଲ ନେତାମାନେ ପ୍ରକାଶ କରିଛନ୍ତି । ଏହିପରି ଅଧିକାଂଶ ଆଦିବାସୀ ନେତା ପାଇଁ ଆଦିବାସୀ ଗ୍ରାମ ସମାଜରେ ବାସନ୍ଦ ପରିବାର ଉପରେ ବାରମ୍ବାର ବିପଦ, ଅନ୍ଯାୟ, ଅତ୍ୟାଚାର, ନିର୍ଯାତନା ଲାଗି ରହିଛି ବୋଲି ପ୍ରଦେଶ ପାର୍ଗାନା କହିଛନ୍ତି ।
ପ୍ରକାଶ କରାଯାଇଛି ଯେ, ଜମିବାଡ଼ି ବିବାଦକୁ ନେଇ 10 ବର୍ଷରୁ ଉର୍ଦ୍ଧ୍ବ ହେବ ଶ୍ରୀମତୀ ନାକି ଟୁଡୁ ପରିବାରକୁ ଗ୍ରାମରେ ସାମାଜିକ ବାସନ୍ଦ କରାଯାଇ ତାଙ୍କ ଉପରେ ଅନେକ ଥର ଅତି ଅମାନବୀୟ ଅନ୍ୟାୟ, ଅତ୍ୟାଚାର, ନିର୍ଯାତନା କରାଯାଇଥିବା ଘଟଣାକୁ ନେଇ ବିଶୋଇ ଥାନା ଅଧିକାରୀଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି ନ୍ୟାୟ, ସୁରକ୍ଷା, ଅଧିକାର ମିଳିନାହିଁ । ତେବେ ଏହିପରି ଅବସ୍ଥାରେ ଗତ ୨୧ରେ ଗ୍ରାମର କେତେକ ଦବଦବା ବ୍ୟକ୍ତିମାନେ ଠେଙ୍ଗା-ବାଡି ଆଦି ମାରଣାସ୍ତ୍ର ଧରି ବାସନ୍ଦ ପରିବାର ଘରକୁ ପଶିଯାଇ ତାଙ୍କ ସ୍ୱାମୀ ଏବଂ ତିନିଗୋଟି ନାବାଳକଙ୍କୁ ଘୋଷାରି ବାହାର କରି ନିସ୍ତୁକ ମାଡ଼ ମାରି ଚେତାଶୂନ୍ୟ ସହ ଲହୁଲୁହାଣ କରି ପରିବାରର ସମସ୍ତଙ୍କୁ ଗୋଇଁଠା ମାରି ମାରି ପ୍ରାୟ 8 (ଆଠ) କିଲୋମିଟରରେ ଥିବା ଜଳଡିହା ଗ୍ରାମକୁ ପହଞ୍ଚାଇ ଥିଲେ ଏବଂ ରାସ୍ତାରେ ଶ୍ରୀମତୀଙ୍କୁ ଧର୍ଷଣ କରିବାକୁ ଉଦ୍ୟମ କରିଥିଲେ । ଚିତ୍କାର କରିବାରୁ ଧର୍ଷଣ ହେବାରୁ ବଞ୍ଚିତ ହୋଇଥିଲେ । ଜଳଡିହା ଗ୍ରାମକୁ ପହଞ୍ଚିବା ପରେ ମୁଚିରାମ ଟୁଡୁଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ମେଡ଼ିକାଲ ନିଆଯାଇଥିଲା । ସେଠାରୁ ବାରିପଦାକୁ ସ୍ଥାନାନ୍ତରିତ କରାଯାଇ ଅତି ସାଙ୍ଘାତିକ ହେବାରୁ କଟକ ମେଡିକାଲରୁ ସୁସ୍ଥ ହୋଇ ଆସି ତା.29.09.2025 ରିଖ ଦିନ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଏବେ ସୁଦ୍ଧା କୌଣସି ସାକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ନିଜ ଘରକୁ ଗଲେ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି । ତେଣୁ ଏବେବି ପର ପିଣ୍ଡାରେ ଜୀବନ ବିତାଉଛନ୍ତି । ଅବିଳମ୍ବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦୋଷୀ ମାନଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ଜୋନାଲ ଉପ-ସେଙ୍ଗେଲ ସଭାପତି ଶ୍ରୀ ବାହାଦୁର ମୁର୍ମୁ, ଜିଲ୍ଲା ଯୁବା ସଭାପତି ଶ୍ରୀ ଉଦୟନାଥ ହେମ୍ବ୍ରମ, ଜିଲ୍ଲା ସାର୍ନା ଧର୍ମ ସଭାପତି ଚୈତନ୍ୟ ହେମ୍ବ୍ରମ ପ୍ରମୁଖ ନେତାମାନେ ଉପସ୍ଥିତ ଥିଲେ ।




