ଦୁର୍ଗମ ଅଂଚଳ : ବାଇକ ରେ ଯାଇ କାଚପାଜୁ ଗ୍ରାମରେ ପହଁଚିଲେ ବୌଦ୍ଧ ଜିଲ୍ଲାପାଳ l


ବୌଦ୍ଧ —( ଚିତ୍ତରଞ୍ଜନ ସିଂହ)
ଶନିବାର ଦିନ 2 ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣୀଗଡ ପଞ୍ଚାୟତର ଦୁର୍ଗମ କାଚପାଜୁ ଗ୍ରାମକୁ ବାଇକ ଯୋଗେ ଯାଇ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଲୋକଙ୍କ ସମସ୍ୟା ବୁଝିଥିବା ଦେଖିବାକୁ ମିଳିଥିଲା l ଗତକାଲି କାଚପାଜୁ ଗ୍ରାମର ଦୁତୀଆ ବେହେରାଙ୍କ ପତ୍ନୀ ସୁନାମତୀଙ୍କ ଆଡେଣୀଗଡ ଡାକ୍ତର ଖାନାରେ ମୃତ୍ୟୁ ହେବା ପରେ ରାସ୍ତା ସମସ୍ୟା ଯୋଗୁଁ ମହା ପ୍ରୟାଣ ଗାଡି ଯାଇ ନ ପାରିବାରୁ ବାଇକରେ ମୃତଦେହ ନିଆ ଯାଇଥିବା ବିଷୟ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇଥିଲା l ଫଳରେ ଶନିବାର ଜିଲ୍ଲାପାଳ ଉକ୍ତ ଗ୍ରାମକୁ ପରିଦର୍ଶନ କରିଥିଲେ | ଜିଲ୍ଲାପାଳ ନିଜ ଗାଡି ଆଡେଣୀ ଗଡରେ ରଖି ପ୍ରାୟ 12 କିମି ରାସ୍ତା ବାଇକରେ ବସି କାଚପାଜୁ ଗ୍ରାମରେ ପହଞ୍ଚି ଦୁତୀଆ ବେହେରାଙ୍କୁ ଭେଟି ସମବେଦନା ଜଣାଇଥିଲେ l ଜିଲ୍ଲାପାଳଙ୍କ ସହ ଯାଇଥିବା ହରଭଙ୍ଗା ବିଡ଼ିଓ ବିଜୟ କୁମାର ପ୍ରଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ସହାୟତା ରାଶି ପ୍ରଦାନ କରିଥିଲେ | ଗ୍ରାମବାସୀଙ୍କ ସହ ଜିଲ୍ଲାପାଳ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | ଗ୍ରାମକୁ ଆସି ହିତାଧିକାରୀ ମାନଙ୍କୁ ନଗଦ ଆକାରରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ | ସେହିପରି ନିର୍ମାଣାଧିନ ରାସ୍ତା 3 ମାସ ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ କୁ ନିର୍ଦ୍ଦେଶ ଦେଇଥିଲେ l




