Breaking News

ଦଳିତ ଆଦିବାସୀ ନିର୍ଯ୍ୟାତନା ଆଈନର ସଂଶୋଧନ ଆଦେଶ ପ୍ରତ୍ୟାହାର କର ନହେଲେ ଓଡିଶା ବ୍ୟାପି ଆନ୍ଦୋଳନ ହେବ- ଦଳିତ ଆଦିବାସୀ ସଂଘ, କଳାହାଣ୍ଡି

 

ଭବାନୀପାଟଣା: ବିଗତ ଦିନ ମାନଙ୍କରେ ଦଳିତ ଓ ଆଦିବାସୀ ମାନଙ୍କ ଉପରେ ଉଚ୍ଚ ବର୍ଗର ନିର୍ଯ୍ୟାତନା ହେତୁ 1989 ମସିହାରେ ପାର୍ଲିଆମେଣ୍ଟରେ ଏହି ନିର୍ଯାତନା ବିରୋଧୀ ଆଇନ ପ୍ରାଣୟନ କରାଯାଇଥିଲା।ଏହି ଆଇନ ଅନୁସାରେ ଅଭିଯୋଗର ତଦନ୍ତ, ଚାର୍ଜ ସିଟ ପ୍ରଦାନ ଓ ଅଭିଯୁକ୍ତ କୁ ଗିରଫ ଦାୟିତ୍ୱ ଡ଼ିଏସପି କିମ୍ବା ତଦୁର୍ଧ୍ଵ ଅଫିସର କରିବେ, କିନ୍ତୁ ଗତ 30 ତାରିଖ ଦିନ ଓଡିଶା ସରକାରଙ୍କ ଗୃହ ବିଭାଗ ତରଫରୁ ଏହି ଦାୟିତ୍ୱ ଡ଼ିଏସପି ବଦଳରେ ଇନ୍ସପେକ୍ଟର କିମ୍ବା ସବ- ଇନ୍ସପେକ୍ଟର ନିର୍ବାହ କରିବାକୁ ନିର୍ଦେଶନାମା ଜାରି କରାଯାଇଛି। ଏଭଳି ହେଲେ ନିଶ୍ଚିତ ଭାବେ ଆଗାମୀ ଦିନରେ ତଦନ୍ତ ବ୍ୟବସ୍ଥା ଢିଲା ହେବା ସହିତ ଅଭିଯୁକ୍ତ ମାନେ ବହୁମାତ୍ରାରେ ନିର୍ଦୋଷରେ ଖଲାସ ହୋଇଯିବାର ସମ୍ଭାବନା ରହିଛି ବୋଲି, ଆଜି କଳାହାଣ୍ଡି ଦଳିତ- ଆଦିବାସୀ ସମାଜ ତରଫରୁ ଅଭିଯୋଗ କରି ଏହି ନିର୍ଦ୍ଧେଶନାମାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି. ଏହା ଏକ କେନ୍ଦ୍ରୀୟ ଆଈନ, କେବଳ ପାର୍ଲିଆମେଣ୍ଟ ହିଁ ଏହା ଉପରେ ସଂଶୋଧନ କରି ପାରିବ। ଓଡିଶାରେ ଏହି ନିଷ୍ପତ୍ତି ରାଜ୍ୟ କ୍ୟାବିନେଟ କିମ୍ବା ଵିଧାନସଭାରେ ଗୃହୀତ ହୋଇନାହିଁ. ଗୋଟିଏ ଅଫିସିଆଲ ଅର୍ଡରରେ ଏଭଳି ଆଈନକୁ ପରିବର୍ତ୍ତନ କରିବା ଅସାମ୍ବିଧାନିକ ଓ ବେଆଇନ କାର୍ଯ୍ୟ ଅଟେ।ଓଡିଶାରେ ଦଳିତ ଆଦିବାସୀଙ୍କ ସଂଖ୍ୟା 40% ରୁ ଅଧିକ ତେଣୁ ସେମାନଙ୍କୁ ସୁରକ୍ଷା ଦେବା ଓ ସବୁପ୍ରକାର ସାହାଯ୍ୟ କରିବା ପ୍ରତ୍ୟେକ ସରକାରର ନୈତିକ ଦାୟିତ୍ୱ।ହେଲେ ସରକାରଙ୍କ ଏଭଳି ଦଳିତ- ଆଦିବାସୀ ସ୍ୱାର୍ଥ ବିରୋଧୀ ପଦକ୍ଷେପ ସମସ୍ତଙ୍କୁ ମର୍ମାହତ କରୁଛି।ଏହି ଆଈନକୁ କଡାକଡି ଭାବରେ ଲାଗୁ କରିବା ପାଇଁ ଡ଼ିଏସପି ସଂଖ୍ୟା ବୃଦ୍ଧି କରିବା, ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବା, ଏଭଳି ମାମଲା ପରିଚାଳନା ପାଇଁ ସରକାରୀ ଓକିଲ ନିଯୁକ୍ତିରେ ଏହି ଦୁଇ ବର୍ଗରୁ ନିଯୁକ୍ତି ଦେବାକୁ ମଧ୍ୟ ସଂଘ ତରଫରୁ ଦାବୀ କରାଯାଇଛି। ଗାଈ କୁ ନେଇଁ କିଛି ଦିନ ତଳେ ଗଞ୍ଜାମ, ଭୁବନେଶ୍ୱର ଓ ଦେବଗଡ଼ରେ ଘଟିଥିବା ଘଟଣାସବୁ ରାଜ୍ୟରେ ଜାତିଗତ ନିର୍ଯାତନା ସବୁର ଜ୍ୱଳନ୍ତ ଉଦାହରଣ. ତେଣୁ ରାଜ୍ୟସରକାର ଏସବୁ ପ୍ରତି ସଚେତନ ରହି ଏହି ବର୍ଗ ମାନଂକୁ ନ୍ୟାୟ ନଦେଲେ ଆଗାମୀ ଦିନରେ ସମସ୍ତେ ମିଳିତ ଭାବେ ଓଡିଶା ବନ୍ଦ କରାଯିବ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି. ଆଜି ଏ ବିଷୟରେ ରାଜ୍ୟର ସବୁ ଜିଲ୍ଲାରୁ ବିଭିନ୍ନ ଦଳିତ ଆଦିବାସୀ ସଂଘ ମାନଂକ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଉଛି. ଆଜି ଧର୍ମଗଡ଼ରେ ସହକାରୀ ଉପଜିଲ୍ଲାପାଳ ଶ୍ରୀ ଅଜୟ ପ୍ରକାଶ ତୀରକ୍କୀ ଦାବିପତ୍ର ଗ୍ରହଣ କରିଥିଲେ. ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ଦିଗାମ୍ବର ଦୁରିଆ, ପ୍ରେମଲାଲ ସାଗର, ଶିଶୁପାଳ ଦୁରିଆ,ବିନୋଦ ନାଏକ, ପଞ୍ଚାନନ ଜାଲ, ପ୍ରତାପ ସୁନାନୀ, ଜୟଦ୍ରଥ ମହାନନ୍ଦ, ଆଦିବାସୀ ନେତା ଗୋବର୍ଧନ ଶବର, ଦୟାନିଧି ମାଝୀ, ଶ୍ୟାମସୁନ୍ଦର ମାଝୀ, ଗୁଣ ଶବର, ଅବସରପ୍ରାପ୍ତ କର୍ମଚାରୀ, ଫୁଲେଶ୍ୱର ସେନାପତି, ଚକ୍ରଧର ବେଣୁପାଣି, କବିରାଜ ଦୁର୍ଗା, ଧରଣୀ ଧଙ୍ଗଡ଼ାମାଝୀ, ସଞ୍ଜୟ ଖମାରୀ, ଅଚ୍ୟୁତ ବାଗ, ତୋଫାନ ବାଗ, ମୁରଲୀ ସତନାମୀ, ଦେବାନନ୍ଦ ସୁନାନୀ ଆଦି ଅନେକ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ସମାଚାର

Related Articles

Back to top button