Breaking News

ରଥଯାତ୍ରା ଅବ୍ୟବସ୍ଥା, ବିଏମସିରେ ଗୁଣ୍ଡାରାଜ ଓ ରବି ଧାନ ସଂଗ୍ରହକୁ ନେଇ ବିଜେଡିର ଉଦବେଗ

 

ଭବାନୀପାଟଣା– ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ନହେବା ଓ ପୁରୀରେ ରଥଯାତ୍ରା ଅବ୍ୟବସ୍ଥା ଓ ଦଳାଚକଟା ଘଟଣା ସାରା ଦେଶରେ ରାଜ୍ୟକୁ ଲଜ୍ଜିତ ଓ ନିନ୍ଦିତ କରିଛି ବୋଲି କଳାହାଣ୍ଡି ବିଜେଡି ପକ୍ଷରୁ କୁହାଯାଇଛି। ଏହା ସହିତ ପୁରୀ ମହାବିଭ୍ରାଟ ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ଆଇନ ମନ୍ତ୍ରୀଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛି ବିଜେଡି । ଚଳିତ ବର୍ଷ ପୁରୀରେ ସାଧାରଣ ଭକ୍ତଙ୍କ ସୁରକ୍ଷାକୁ ଧ୍ୟାନ ନ ଦେଇ ଏ ସରକାର ୬୦୦୦ ଦଳୀୟ ନେତାଙ୍କୁ ଭିଆଇପି ପାସ୍ ବଣ୍ଟନ କରି ଭିଆଇପି ସେବାରେ ନିଜକୁ ନିହୋଜିତ କରିଥିବାରୁ ଏହି ପରି ଦୁର୍ଭାଗ୍ୟଜନକ ଘଟଣା ଘଟିଛି । ସେହିପରି ବିଏମସି ଅଫିସ ଭିତରେ ବିଜେପି କର୍ମୀ ପଶି ଜଣେ କର୍ତ୍ତବ୍ୟରତ ଓଏଏସ୍ ଅଫିସରଙ୍କୁ କଲର ଧରି ମାଡ଼ ମାରିବା ସହ ତାଙ୍କୁ ଘୋଷାଡି ଘୋଷାଡି ଗାଡ଼ି ପାଖକୁ ନେବା ମୋହନ ସରକାରଙ୍କ ଜଙ୍ଗଲ ରାଜ ଦର୍ଶାଉଛି ବୋଲି ବରିଷ୍ଠ ବିଜେଡି ନେତା ସାରଦା ପ୍ରସନ୍ନ ସ୍ବାଇଁ କହିଛନ୍ତି। ରାଜ୍ୟ ସରକାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କୁ ଘଣ୍ଟ ଘୋଡାଉଛନ୍ତି । ରାଜ୍ୟ ସରକାର ଏହି ଘଟଣାରେ ଆଉ ଅଧିକ ଟାଳଟୁଳ ନିତି ଅବଲମ୍ବନ ନକରି , ତୁରନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି କଳାହାଣ୍ଡି ବିଜେଡି କହିଛି।

ସେହିଭଳି ରବି ଧାନ ସଂଗ୍ରହ ଓ ମଣ୍ଡି ଅବ୍ୟବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଛି କଳାହାଣ୍ଡି ବିଜେଡି। ଜିଲ୍ଲାରେ ପ୍ରାୟ ୩୨ ଲକ୍ଷ ୭୦ ହଜାର କ୍ଵିଣ୍ଟାଲ ଧାନ କିଣା ଯାଇଥିବା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଏବେବି କଳାହାଣ୍ଡିର ବିଭିନ୍ନ ମଣ୍ଡିରେ କ୍ବିଣ୍ଟାଲ କୁଇଣ୍ଟାଲ ଧାନ ପଡ଼ିରହିଛି । ବର୍ଷା ପାଇଁ ଧାନରେ ଗଜା ଦେଲାଣି ତ ଆଉ କେଉଁଠି ଚାଷୀ ସରକାର କେବେ ଧାନ ନେବେ ବୋଲି ଚାହିଁ ରହିଛି । ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ବିଜମରା ମଣ୍ଡିରେ ଚାଷୀଙ୍କ ଧାନ ଉଠି ପାରୁନଥିବା ଯୋଗୁଁ ଆନ୍ଦୋଳନ କରୁଛନ୍ତି । ଗୌଡଛେଣ୍ଡିଆ ମଣ୍ଡି ରୁ ୨ଜଣ ଚାଷୀଙ୍କ ଧାନ କେସିଙ୍ଗା ରାଇସମିଲ ରୁ ଫେରି ଆସିଛି । ଅନେକ ମଣ୍ଡିରେ ଖୋଲା ଆକାଶ ତଳେ ଧାନ ପଡ଼ିରହିଛି। ଧାନ ଚାଷୀ ମାନଙ୍କୁ ପ୍ରଦାନ କରାଯାଇଥିବା ଟୋକନର ଅବଧି ଗତ ୩୦ ଜୁନରେ ଶେଷ ହୋଇଛି ହେଲେ ଧାନ କିଣା କାର୍ଯ୍ୟ କିନ୍ତୁ ଶେଷ ହୋଇନାହିଁ। ଏଣୁ ଟୋକନ ଅବଧିକୁ ଏକ ମାସ ବୃଦ୍ଧି ସହ ଚାଷୀଙ୍କ ବଳକା ରବି ଧାନକୁ ସରକାର କିଣନ୍ତୁ ବୋଲି ବିଜେଡି ଦାବି କରିଛି। ସରକାରଙ୍କ ପାଖରେ ପ୍ରାକ୍ ମୌସୁମୀ ଆଗମନର ସୂଚନା ରହିଥିଲେ ମଧ୍ୟ, ଏହାର ମୁକାବିଲା ପାଇଁ ସରକାରଙ୍କ ତରଫରୁ କୌଣସି ପ୍ରସ୍ତୁତି ହୋଇନଥିଲା । ଯେଉଁମାନଙ୍କର ଧାନ କିଣା ବାକି ଅଛି ସେମାନଙ୍କ ଧାନ ବର୍ଷା ପାଇଁ ଓଦା ହେଉଥିବା ସହ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ଚାଷୀଙ୍କ ଟୋକନ ଅବଧି ବୃଦ୍ଧି, ଧାନ କିଣିବା ପାଇଁ ସରକାର ତ୍ୱରିତ ପଦକ୍ଷେପ, ଏବଂ ବର୍ଷା ଯୋଗୁଁ ଚାଷୀ ମାନଙ୍କ ହୋଇଥିବା କ୍ଷୟକ୍ଷତିର ଆକଳନ ଶିଘ୍ର ନକଲେ ଆଗକୁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ବରିଷ୍ଠ ବିଜେଡି ନେତା ଜିତେନ୍ଦ୍ର ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ନଗରପାଳ ବିଷ୍ଣୁ ପ୍ରଧାନ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ଜିଲ୍ଲା ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ, ଜୋନ ସଭାପତି ମନିନ୍ଦ୍ର ମହାନ୍ତି, ଦିନେଶ ବଗର୍ତ୍ତି, ପୂର୍ବତନ ଉପ ନଗରପାଳ ସବିତା ପ୍ରଧାନ, କ୍ଷୀରସିନ୍ଧୁ ନାଏକ, ଚକ୍ରଧର ସେଠୀ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button