ଲାଣ୍ଡିବନ୍ଧ ର ପ୍ରସିଦ୍ଧ ମସିଣା ଦିନକୁ ଦିନ ଲୋକ ପ୍ରିୟତା ହରାଇ ବସିଲାଣି l


ହରଭଙ୍ଗା -( ଚିତ୍ତରଞ୍ଜନ ସିଂହ)
ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ ଲାଣ୍ଡିବନ୍ଧ ଗ୍ରାମର ସପ ବା ମସିଣା ହେଉଛି ବୌଦ୍ଧ ଜିଲାର ଅନ୍ୟତମ ପରିଚୟ l ଏହି ମସିଣା ତିଆରି କରି ବିକ୍ରି କରିବା ହେଉଛି ଶତାଧିକ ପରିବାର ର ପାରମ୍ପରିକ ଓ କୌଳିକ ବୃତି l ବଜାର ଅଭାବରୁ ଏବେ ନାମକୁ ମାତ୍ର କେତେକ ପରିବାର ଏହି ମସିଣା ତିଆରି କରି ବିକ୍ରି କରୁଛନ୍ତି l ବଜାର କୁ ପ୍ଲାଷ୍ଟିକ ମସିଣା ଆସିବା ପରେ ଏହାର ଚାହିଦା କମିଯାଇଛି l ପ୍ରସିଦ୍ଧି ରହିଥିବା ଏହି ମଶିଣା ସମୟ କ୍ରମେ ନିଜର ଲୋକପ୍ରିୟତା ହରାଇ ବସିଲାଣି l ଜିଲାର ଏହି ଲୋକ କଳା ଓ କୁଟୀର ଶିଳ୍ପ ଏବେ ସରକାରୀ ସହାୟତା ଓ ସଂରକ୍ଷଣ ଖୋଜୁଛି l ରାଜ୍ୟର ଲାଣ୍ଡିବନ୍ଧ ହିଁ ଏକମାତ୍ର ଗ୍ରାମ, ଯେଉଁଠି ଏହି ଧରଣ ର ମସିଣା ବୁଣାଯାଇ ବିକ୍ରି କରାଯାଇଥାଏ l ମହାନଦୀ ପଠାରେ ଥିବା ଏକ ପ୍ରକାରର ଘାସ କୁ ଲୋକେ ସଂଗ୍ରହ କରି ଘରକୁ ଆଣିଥାନ୍ତି l ତାକୁ ସଫା କରି ମଶିଣା ର କଞ୍ଚାମାଲ ଭାବେ ବ୍ୟବହାର କରାଯାଇଥାଏ l ପରିବାରର ସମସ୍ତ ସଦସ୍ୟ ଏହି ମସିଣା ତିଆରିରେ ନିଜର ପରିଶ୍ରମ ପ୍ରଦାନ କରିଥାନ୍ତି l ଲୁଗା ବୁଣାଯିବା ଭଳି ଅନ୍ୟ ଏକ ପ୍ରକାର ର ତନ୍ତ ସାହାଯ୍ୟରେ ଏହି ମସିଣା ବୁଣାଯାଇଥାଏ l ମସିଣା ବୁଣାଯିବା ପରେ ସେଥିରେ ଶେଷ ସ୍ପର୍ଶ ଦେଇ ବଜାରକୁ ନେଇଥାନ୍ତି ବିକ୍ରି କରିବା ପାଇଁ l ଘାସରେ ତିଆରି ଅନେକ ପ୍ରକାରର ମସିଣା ବଜାର ରେ ବିକ୍ରୟ ହେଉଥିବା ବେଳେ ଲାଣ୍ଡିବନ୍ଧ ଗ୍ରାମର ମସିଣାର ସ୍ୱତନ୍ତ୍ରତା ରହିଛି l ଲାଣ୍ଡିବନ୍ଧ ଗ୍ରାମର ମସିଣା ଉତ୍ପାଦନରେ ସମ୍ପୃକ୍ତ କାରିଗର ମାନଙ୍କୁ ନୂତନ କୌଶଳର ତାଲିମ, କଞ୍ଚାମାଲ ଯୋଗାଣ , ଆର୍ଥିକ ସହାୟତା ସହିତ ବଜାର ବ୍ୟବସ୍ଥା କରାଗଲେ ଏହା ପୁନଃର୍ଜୀଵନ ହାସଲ କରିବ l ନଚେତ କିଛି ବର୍ଷ ପରେ ଏହା କେବଳ କାଗଜପତ୍ର , ଫୋଟୋ ଭିଡ଼ିଓ ରେ ଇତିହାସ ହୋଇ ରହିଯିବ l




