Breaking News

ମୁଖିହୁରୁ ପର୍ବତ ଶିଖରେ ପର୍ଯ୍ୟଟନର ବିକାଶ ନିମନ୍ତେ ବିଡ଼ିଓ ଙ୍କୁ ଦାବିପତ୍ର

ମୋହନା:୨୪/୬0/୨୫(ସୁବିତ କୁମାର ନାୟକ)ଗଜପତି ଜିଲ୍ଲା ମୋହନା ବ୍ଲକ୍ ମଳାସପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୁଖିହୁରୁ ପର୍ବତ ଶିଖରେ ପର୍ଯ୍ୟଟନର ବିକାଶ ନିମନ୍ତେ ଏକ ଦାବିପତ୍ର ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ରାଜୀବ ଦାସଙ୍କୁ ଅଞ୍ଚଳବାସୀ ତରଫରୁ ପ୍ରଦାନ କରାଯାଇଛି। ଏହି ବିଶେଷ ଉଦ୍ଦେଶ୍ୟରେ ବିଗତ ୧୭ ତାରିଖରେ ଗଜପତି ଜିଲ୍ଲାପାଳଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବରେ ଅଞ୍ଚଳବାସୀ ଏକ ଦାବିପତ୍ର ପ୍ରଦାନ କରିଥିଲେ। ରଥଯାତ୍ରା ପରେ ପରେ ଉକ୍ତ ଆଦିବାସୀଙ୍କ ପୁଣ୍ୟପୀଠ ମୁଖିହୁରୁ ପର୍ବତକୁ ଗସ୍ତକରି ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏଥିରେ ପର୍ଯ୍ୟଟନର ବିକାଶ ନିମନ୍ତେ ଆଗେଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ମଳାସପଦର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ. ଇସ୍ମାଏଲ ଦଳବେହେରା, ପୂର୍ବତନ ସରପଞ୍ଚ ଶ୍ରୀ. ହରିଶ୍ଚନ୍ଦ୍ର ମଳିକ, କ୍ୟାମ୍ପେନର ବା ଆବାହକ ସୁଜ୍ଞାନ ସାଗରଙ୍କ ସହ ହୁରୁଗୁଡ଼ା, ଭାଲିଆଗୁଡ଼ା, ଜେନାଖାଲ, ଜାମଲିଙ୍ଗି, ରାଚାଗୁଡ଼ା, କେହେଲିଗୁଡ଼ା, ପାକେଲିଗୁଡ଼ା, ପଦ୍ମପୁର, ବାଞ୍ଜାମା, ଲେମ୍ବାପଙ୍କା ଗ୍ରାମ ପ୍ରତିନିଧି ତଥା ଏବଂ ମଳାସପଦର ଗ୍ରାମ ପଞ୍ଚାୟତ ଅଞ୍ଚଳବାସୀ ଉପସ୍ଥିତ ରହି ବିଡ଼ିଓ ମହାଶୟଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ମୁଖିହୁରୁ ପର୍ବତ ଶିଖରେ ସେଠିକାର ବସବାସ କରୁଥିବା କୁଇ ଆଦିବାସୀ ସଂପ୍ରଦାୟର ଅଧିବାସୀ ପିତୃପୁରୁଷ ଅମଳରୁ ପ୍ରକୃତି ପୂଜା କରି ଆସୁଛନ୍ତି। ସେମାନେ ସେହି ପର୍ବତକୁ ସେମାନଙ୍କ ଗୁଙ୍ଗି ପୀନୁ ଦେବତା ରୂପେ ପୂଜା କରିବା ସହ ସେଠାରେ ବିଭିନ୍ନ ଦେବଦେବୀଙ୍କ ପୂଜାର୍ଚ୍ଚନା କରି ଆସୁଛନ୍ତି। ପ୍ରତିବର୍ଷ ଉକ୍ତ ଦେବପୀଠରେ ବିଭିନ୍ନ ଦେବାଦେବୀଙ୍କ ପର୍ବ ଅଞ୍ଚଳବାସୀ ତରଫରୁ ଧୁମଧାମରେ ଆୟୋଜନ ହୋଇଥାଏ। ଗଜପତି ଜିଲ୍ଲାରେ ରହିଥିବା ଐତିହାସିକ ମହେନ୍ଦ୍ରଗିରି ଗିରିଶୃଙ୍ଗ ପରେ ଦ୍ଵିତୀୟ ସର୍ବୋଚ୍ଚ ଏହି ମୁଖିହୁରୁ ଗିରିଶୃଙ୍ଗ। ଏହାର ଅନେକ ଇତିହାସ ଏବଂ ପୌରାଣିକ ଲୋକକଥା ରହିଥିବା ଅଞ୍ଚଳବାସୀ ପ୍ରକାଶ କରନ୍ତି। ଏହି ପର୍ବତରେ ଅନେକ ଔଷଧୀୟ ବୃକ୍ଷ ଦେଖାଯାଏ, ଯାହାକୁ ଅଞ୍ଚଳବାସୀ ନିତ୍ୟ ବ୍ୟବହାର କରନ୍ତି। କିଛିମାସ ପୂର୍ବରୁ ଉକ୍ତ ଦେବପୀଠରେ ପର୍ଯ୍ୟଟନର ବିକାଶ ନିମନ୍ତେ ଅଞ୍ଚଳବାସୀ ତରଫରୁ କ୍ୟାମ୍ପେନ ଆରମ୍ଭ କରାଯାଇଛି, ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଅଞ୍ଚଳବାସୀ ଗଜପତି ଜିଲ୍ଲାପାଳ ତଥା ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ମହାଶୟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଶା କରାଯାଉଛି ଉକ୍ତ ମୁଖିହୁରୁ ପର୍ବତ ଶିଖରେ ପର୍ଯ୍ୟଟନର ବିକାଶ ନିମନ୍ତେ ସରକାର ଏବଂ ପ୍ରଶାସନ ଆଗେଇ ଆସିବେ।

Related Articles

Back to top button