Breaking News

ମାନ୍ୟବର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଡାଇରିଆ ପ୍ରତିରୋଧ ଓ ରଥଯାତ୍ରା-୨୦୨୫ ପ୍ରସ୍ତୁତି ସମ୍ପର୍କିତ ସମୀକ୍ଷା ବୈଠକ 

 

 

ବାରିପଦା ତା ୨୨-୦୬-୨୦୨୫ରିଖ 

 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମ୍ପ୍ରତି ବିଭିନ୍ନ ଜିଲ୍ଲାରେ ଦେଖାଯାଉଥିବା ହୋଇଜା /ଝାଡାବାନ୍ତି ପ୍ରତିରୋଧ ଓ ରଥଯାତ୍ରା -୨୦୨୫ ପ୍ରସ୍ତୁତି ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ବୈଠକରେ ଜିଲ୍ଳାପାଳ ଶ୍ରୀ ହେମକାନ୍ତ ସୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଭୁତି ଭୂଷଣ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମା ନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ରାଜ କିଶୋର ଆଚାର୍ଯ୍ୟ ଓ ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା ଯୋଗ ଦେଇଥିବା ବେଳେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ଲାଇନ ଦିପାର୍ଟମେଣ୍ଟର ଅଧିକାରୀ,ମନ୍ଦିର ପରିଛା, ପୂଜକ, ରଥ ମହାପାତ୍ର, ସେବାୟତ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ମାନ୍ୟବର ମନ୍ତ୍ରୀ ପ୍ରଥମେ ସମ୍ପ୍ରତି କିଛି ଜିଲ୍ଲାରେ ହୋଇଜା ଓ ଝାଡାବାନ୍ତିରେ ଲୋକମାନେ ଆକ୍ରାନ୍ତ ହେଉଥିବାରୁ ସେଥିପ୍ରତି ସଜାଗ ରହିବା ପାଇଁ ନିର୍ଦେଶ ଦେଇଥିଲେ। ବର୍ଷା ଦିନରେ ସାଧାରଣତଃ ପାଣି ଦୂଷିତ ହେଉଥିବା କାରଣରୁ ଡ଼ାଇରିଆ ଓ ଜଣ୍ଡିସରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ ଏବଂ ଜମିରହୁଥିବା ବର୍ଷାଜଳରୁ ମଶାମାନଙ୍କ ଜନ୍ମ ହେତୁ ମ୍ୟାଲେରିଆ, ଡେଙ୍ଗୁ ଜ୍ୱର ହେବାର ମଧ୍ୟ ଆଶଙ୍କା ରହିଛି। ଗ୍ରାମାଞ୍ଚଳରେ ଲୋକମାନେ କିପରି ବିଶୁଦ୍ଧ ପିଇବା ପାଣି ପାଇ ପାରିବେ ସେ ଦିଗରେ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା କରିବା ସହିତ ନଳକୂପ ଗୁଡିକ ନିୟମିତ ଭାବେ ଜୀବାଣୁନାଶକ କରିବା ପାଇଁ ପଦକ୍ଷେପ ନେବା ଏବଂ ଚୁଆ ପାଣି ବ୍ୟବହାର କରୁଥିବା ଅଂଚଳରେ ପାଣି ଟ୍ୟାଙ୍କର ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗକୁ ନିର୍ଦେଶ ଦେଇଛନ୍ତି। ସେହିପରି ପାଇପ ଜଳ ଯୋଗାଣ ଅଂଚଳରେ ଜଳ ବିଶୋଧନ ଓ ଜୀବାଣୁ ନାଶକ ଉପରେ ଧ୍ୟାନ ଦେବାପାଇଁ ଜି.ଏମ. ୱାଟକୋକୁ ନିର୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପର୍ଯ୍ୟlପ୍ତ ପରିମାଣର ଓ ଆର ଏସ /ସାଲାଇନ ଓ ଆବଶ୍ୟକୀୟ ଔଷଧ ରଖିବା ସହିତ ନିୟମିତ ଭାବେ ସ୍ଥିତି ଉପରେ କଡା ନଜର ରଖିବା କୁ ନିର୍ଦେଶ ଦେଇଛନ୍ତି। ସେହିପରି ସହରାଞ୍ଚଳରେ ନାଳନର୍ଦମା,ଶୌଚାଳୟ ଗୁଡିକର ପରିଷ୍କାର ପରିଚ୍ଛନ୍ନତା ବ୍ୟବସ୍ଥା ଉପରେ ସମୁଚିତ ଧ୍ୟାନ ଦେବାପାଇଁ ପୌର ପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଖାଦ୍ୟ ସୁରକ୍ଷା ଅଧିକାରୀ ଓ ଇନ୍ସ୍ପେକଟରଙ୍କ ଜରିଆରେ ବିଭିନ୍ନ ହୋଟେଲ ମାନଙ୍କରେ ପ୍ରସ୍ତୁତ କରୁଥିବା ଖାଦ୍ୟ ଦ୍ରବ୍ୟ, ରାସ୍ତା କଡ ଉଠା ଦୋକାନୀ ଓ ଠେଲା ଦୋକାନୀ ମାନେ ବିକ୍ରି କରୁଥିବା ଚାଟ, ଗୁପଚୁପ, ଫାଷ୍ଟ ଫୁଡ ଇତ୍ୟାଦି ଖାଦ୍ୟ ଦ୍ରବ୍ୟର ନିୟମିତ ଭାବେ ମାନ ଯାଞ୍ଚ ଓ ପରୀକ୍ଷା କରିବା ସହିତ ଦୋକାନ ଗୁଡିକରେ ଯେମିତି ପଚା ସଢ଼ା ବାସି ଖାଦ୍ୟ ବିକ୍ରି ନହେବ ଏବଂ ସେଗୁଡିକରେ ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦେବାପାଇଁ ନିର୍ଦେଶ ଦେଇଛନ୍ତି। ସର୍ବୋପରି ଜିଲ୍ଳାରେ ଯେପରି ଏସବୁ ରୋଗ ସଂକ୍ରମଣ ନହୁଏ ସେଥିପାଇଁ ଆଗୁଆ ସତର୍କ ରହିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି।

 

ଚଳିତ ବର୍ଷ ରଥଯାତ୍ରାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ନିର୍ଧାରିତ ସମୟ ନିର୍ଘଣ୍ଟ ଅନୁସାରେ ଶାନ୍ତିଶୃଙ୍ଖଳା ସହିତ ସମ୍ପନ୍ନ କରିବା ପାଇଁ ନିଷ୍ପତ୍ତି ନିଆ ଯାଇଛି। ଚୋରି ଛିନତାଇ ଓ ଅସାମାଜିକ କ୍ରିୟାକଳାପକୁ ରୋକିବା ଲାଗି ସିସି କ୍ୟାମେରାର ବ୍ୟବସ୍ଥା କରିବା ସହିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସିଭିଲ ସ୍କ୍ୱାଡ଼ ସହିତ ସାଧା ପୋଷାକରେ ପୋଲିସ ମୁତୟନ ହେବେ। ଟ୍ରାଫିକ ବ୍ୟବସ୍ଥା ଓ ଭିଡ଼ ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ପୋଲିସ ମୁତୟନ ହେବେ ଏବଂ ମା ସୁଭଦ୍ରାଙ୍କ ରଥ ଟଣା ସମୟରେ ପାର୍ଯ୍ୟାପ୍ତ ସଂଖ୍ୟକ ମହିଳା ପୋଲିସ ମୁତୟନ ହେବେ।ରଥଯାତ୍ରା ସମୟରେ ସହରର ମୁଖ୍ୟ ରାସ୍ତା ସହିତ ବିଭିନ୍ନ ଗଳି ରାସ୍ତାଗୁଡିକରେ ଆଲୋକ ବ୍ୟବସ୍ଥା କରାଯିବ। ଏତଦ ବ୍ୟତୀତ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଶିବିର, ଆମ୍ବୁଲାନ୍ସ ବ୍ୟବସ୍ଥା ସହ ବଡଦାଣ୍ଡରେ ଏମ ପି ସି ଜୁନିଅର କଲେଜ ଓ ମହିଳା ମହାବିଦ୍ୟାଳୟ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ବ୍ୟବସ୍ଥା କରାଯିବ। ସେହିପରି ରଥଯାତ୍ରା ସମୟରେ ବଡଦାଣ୍ଡରେ ଆମିଷ ଖାଦ୍ୟ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଫେସବୁକ, ୟୂଟ୍ୟୁବ ମାଧ୍ୟମ ରେ ସିଧାପ୍ରସାରଣ ଏବଂ ଧାରlବିବରଣୀର ବ୍ୟବସ୍ଥା ପାଇଁ ସ୍ଥିର କରାଯାଇଛି। ସେହିପରି ପରମ୍ପରା ଅନୁଯାୟୀ ରଥ ଉପରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଲଡ଼ୁ ବଣ୍ଟନ ବ୍ୟବସ୍ଥା ପୋଲିସ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା କରାଯିବା ନେଇ ମତାମତକୁ ବିଚାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ରଥଯାତ୍ରା ସମୟରେ ବେଆଇନ ନିଶା କାରବାରକୁ ରୋକିବା ପାଇଁ ପଦକ୍ଷେପ ନେବା ସହିତ, ଦର୍ଶନ ପାଇଁ ଦୂରଦୁରାନ୍ତରୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଯାତାୟତର ସୁରକ୍ଷା ନିମନ୍ତେ ଗାଡି ଚାଳକଙ୍କ ଦ୍ୱାରା ବେପରୁଆ ଗାଡି ଚାଳନା କିମ୍ବା ନିଶା ସେବନ କରି ଗାଡି ଚାଳନା କରୁଥିବା ଗାଡି ଚାଳକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅବକାରୀ, ପୋଲିସ ପ୍ରଶାସନ ଓ ଆର ଟି ଓ ଙ୍କୁ ନିର୍ଦେଶ ଦିଆଯାଇଛି। ସେହିପରି ବଡଦାଣ୍ଡକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଛି ଏବଂ ଭକ୍ତ ମାନେ ମହାପ୍ରଭୁଙ୍କ ପାଖରେ ଲାଗି କରିବା ପାଇଁ ନେଉଥିବା ଭୋଗ ସାମଗ୍ରୀକୁ ଦୋକାନୀ ମାନେ ଶାଳପତ୍ରରେ ପ୍ରସ୍ତୁତ ଖଲି/ଦୋନାରେ ବିକ୍ରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Related Articles

Back to top button