Breaking News

ମୂଳନିବାସୀ, ବହୁଜନ ସମାଜର ବିକାଶରେ ହିଁ ଓଡ଼ିଶାର ବିକାଶ ସମ୍ଭବ ୧୦ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

 

 

 

*ଜିଲ୍ଲାପାଳଙ୍କୁ ଭେଟିଲେ ମୂଳନିବାସୀ ବହୁଜନ ମିଳିତ ମହାସଂଘ କର୍ମକର୍ତ୍ତା*

 

ଭବାନୀପାଟଣା–

ରାଜ୍ୟରେ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କ ଜନସଂଖ୍ୟା ପ୍ରାୟ ୯୪ ପ୍ରତିଶତ। ଏହି ମୂଳନିବାସୀ ବହୁଜନ ସମାଜର ବିକାଶରେ ହିଁ ଓଡିଶାର ବିକାଶ ସମ୍ଭବ। ବହୁଜନ ସମାଜର ବିକାଶ ପାଇଁ ଜନସଂଖ୍ୟା ଅନୁପାତରେ ସବୁପ୍ରକାର ସରକାରୀ ଓ ବେସରକାରୀ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦିଆଯିବାର ଆବଶ୍ୟକତା ରହିଛି। ମେଡିକାଲ, ଇଞ୍ଜିନିୟରିଂ ଭଳି ସମସ୍ତ ବୃତ୍ତିଗତ ଶିକ୍ଷା ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ତଥା ସମସ୍ତ ପ୍ରକାର ନିଯୁକ୍ତିରେ ପଛୁଆ ବର୍ଗ ପାଇଁ ୫୪ ପ୍ରତିଶତ, ଜନଜାତିଙ୍କ ପାଇଁ ୨୨.୫୦% ଓ ଅନୁସୂଚିତ ଜାତିଙ୍କ ପାଇଁ ୧୬.୨୫ % ସ୍ଥାନ ସଂରକ୍ଷଣ ଦିଆଯିବା ସହିତ ଚଳିତ ଶିକ୍ଷାବର୍ଷରୁ ଏହାକୁ କଡାକଡି ଭାବେ ଲାଗୁ କରାଯିବାକୁ ଦାବି କରିଛି ମୂଳନିବାସୀ ବହୁଜନ ମିଳିତ ମହାସଂଘ। ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ତଥା ପ୍ରାଥମିକ ଶିକ୍ଷକ ନିଯୁକ୍ତି ଜିଲ୍ଲା ଭିତ୍ତିକ କରାଯିବା, ପୁଲିସ ବିଭାଗ ତରଫରୁ ଚାଲିଥିବା ହୋମଗାର୍ଡ ନିଯୁକ୍ତିରେ ମଧ୍ୟ ପଛୁଆ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା, ଚାଷୀ ଓ ଚାଷକୁ ସୁରକ୍ଷା ଦିଆଯିବା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଜମିକୁ ସରକାର କିଣିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା, ଦଳିତ, ଆଦିବାସୀଙ୍କ ଉପରେ ଜାତି ନିର୍ଯାତନା ବନ୍ଦ କରାଯିବା ସହିତ ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ କରି ପୀଡିତ ବ୍ୟକ୍ତି/ପରିବାରକୁ ତ୍ୱରିତ ନ୍ୟାୟ ଓ କ୍ଷତିପୂରଣ ଦିଆଯିବା, ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ଥିବା ଆଶ୍ରମ ସ୍କୁଲଗୁଡ଼ିକରେ ୧୦ % ବଦଳରେ ଅତିକମରେ ୩୦% ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କୁ ସଂରକ୍ଷଣ ଦିଆଯିବା ଓ ରାଜ୍ୟର ସବୁ ଛାତ୍ରୀ ନିବାସକୁ ସାବିତ୍ରୀ ବାଇ ଫୁଲେଙ୍କ ନାମରେ ନାମିତ କରାଯିବା ଉପରେ ମହାସଂଘ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି। ଆସନ୍ତା ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ମୁନସିପାଲଟି ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ୫୪% ସ୍ଥାନ ସଂରକ୍ଷଣ ଲାଗୁ କରାଯିବା, ଏଥିପାଇଁ ରାଜ୍ୟ ବଦଳରେ ଜିଲ୍ଲାକୁ ଏକକ ଭାବେ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ସେହିପରି ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟା, ପିଅନ, ଝାଡୁଦାର, ରାତ୍ରି ଜଗୁଆଳି, ଆଶାକର୍ମୀ, ଗାଁ ସାଥୀ, କୃଷକ ସାଥୀ, ଏସଇଏମ, ଗ୍ରାମରକ୍ଷୀଙ୍କ ଭତ୍ତା ବୃଦ୍ଧି କରାଯିବା, କଳାହାଣ୍ଡି ଜିଲ୍ଲାରେ କୃଷିଭିତ୍ତିକ ଶିଳ୍ପ ସ୍ଥାପନ କରାଯିବା ସହିତ କୃଷିଭିତ୍ତିକ ଶିଳ୍ପ ସବୁ ସ୍ଥାପନ କରି ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବା, ବହୁଜନ ସମାଜର ଶିକ୍ଷିତ ଯୁବକ-ଯୁବତୀଙ୍କୁ ଏଭଳି ଶିଳ୍ପ ପ୍ରତିଷ୍ଠା ପାଇଁ ସବୁ ପ୍ରକାର ସାହାଯ୍ୟ ଦିଆଯିବା ଉପରେ ଗୁରୁତ୍ୱାରୋପ କରିଛି ମହାସଂଘ। କଳାହାଣ୍ଡିର ବିଭିନ୍ନ କ୍ରସର ମାଲିକ, ପଥର,ବାଲି ଓ ଖଣି ମାଫିଆ ମାନେ ସରକାରଙ୍କ ସମସ୍ତ ଆଇନକୁ ଭୃକ୍ଷେପ ନକରି କଳାହାଣ୍ଡିକୁ ଖୋଳ କରୁଛନ୍ତି, ତେଣୁ ଜିଲ୍ଲାରେ ଚାଲୁଥିବା ସମସ୍ତ କ୍ରସର, ପଥର କ୍ଵାରୀ, ବାଲିଘାଟ ଆଦିର ପରିଚାଳନା ସ୍ବଛତା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ମହାସଂଘ ତରଫରୁ ଦାବି କରାଯାଇଛି। ଆଜି ମହାସଂଘର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାଖୁଡ଼ଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି କମଳିନୀ ଯାଦବ, ଯତୀନ୍ଦ୍ର କର, ଉପ-ସଭାପତି କୁବେର ସାହୁ, ଜୟପ୍ରକାଶ ଜାଲ, ସାଧାରଣ ସମ୍ପାଦକ କୀର୍ତ୍ତନ ନାୟକ ଯାଦବ, ରମଣୀ ଦୁରିଆ, ସତ୍ୟ ମାହାର, ଯୁବ ସଭାପତି ଡାକେଶ୍ୱର ଲହଜଲ, ଜିଲ୍ଲା ମହିଳା ସଭାନେତ୍ରୀ ସ୍ନେହଲତା ଦୁର୍ଗା, ସଂପାଦକ ରତନ ନାଏକ, ହୃଦାନନ୍ଦ ମାଝୀ, ଦିଗାମ୍ବର ଲୁହା, ଉପଦେଷ୍ଟା ଜଗଦୀଶ ଯାଦବ, ଦିଗାମ୍ବର ଦୁରିଆ, ଆଇନଜୀବୀ ପୃଥ୍ଵୀରାଜ ତାଣ୍ଡି, ଲକ୍ଷ୍ମୀ ରଞ୍ଜନ ବାଗଙ୍କ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମହାସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ସାକ୍ଷାତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ୧୦ ଦଫା ଦାବିପତ୍ର ପ୍ରଦାନ କରିଥିଲେ।ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button