ଓଭରଲୋଡ ପ୍ରସଙ୍ଗ ନେଇ ତାଳଚେର ଆଞ୍ଚଳିକ ଠିକା ମଜଦୂର ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ


ତାଳଚେର, ୨୦/୬ ତାଳଚେରର କୋଇଲାଖଣି ଗୁଡିକରେ କୋଇଲା ଉତ୍ତୋଳନ ଓ ପରିବହନ ନେଇ ନିଯୁକ୍ତ ଟ୍ରକ୍ ଗୁଡିକରେ ଓଭରଲୋଡ ହେଉଥିବା ଅଭିଯୋଗ ନେଇ ଆଜି ସନ୍ଧ୍ୟାରେ ଏକ ସମ୍ମିଳନୀ ମାଧ୍ୟମରେ ତାଳଚେର ଆଞ୍ଚଳିକ ଠିକା ମଜଦୂର ସଂଘ ତରଫରୁ ଅଭିଯୋଗ କରାଯାଇଛି। ସରକାରଙ୍କ ନିୟମ ଥିବା ଧାର୍ଯ୍ୟ ଓଜନ ଠାରୁ ବର୍ଷ ବର୍ଷ ଧରି କୋଇଲା ପରିବହନ ହେଉଥିବାରୁ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି ବୋଲି ସଂଘ ତରଫରୁ କୁହାଯାଇଛି। ଏହାସହ କୋଇଲା ପରିବହନ ନେଇ ଯେତିକି ଗାଡ଼ିର ଆବଶ୍ୟକତା ରହିଛି ତା ଠାରୁ କମ୍ ଗାଡ଼ିରେ କୋଇଲା ପରିବହନ କରାଯାଉଥିବାରୁ ସ୍ଥାନୀୟ ଲୋକେ ମାନେ ଗାଡ଼ି ଖଣ୍ଡେ ଖଣ୍ଡେ କରିଥିଲେ ମଧ୍ୟ ସେମାନେ କାମ ପାଇ ପାରୁନାହାନ୍ତି। ଫଳରେ ବେକାରୀ ସମସ୍ୟା ତାଳଚେର ଅଞ୍ଚଳରେ ବଢ଼ି ଚାଲିଛି। ଏହି ସମସ୍ୟା ନେଇ ତାଳଚେର ଉପ ଜିଲ୍ଲାପାଳ ଏବଂ ଏମସିଏଲ କର୍ତ୍ତୃପକ୍ଷଙ୍କୁ ସଂଘ ତରଫରୁ ଲିଖିତ ଅଭିଯୋଗ ଦିଆଯାଇଥିଲା। ତେଣୁ ଗତ ୧୬ ତାରିଖରେ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ଏହି ସମସ୍ୟା ନେଇ ଆଲୋଚନା ହୋଇ ସରକାରୀ ନିୟମ ମୁତାବକ କାର୍ଯ୍ୟ କରିବାକୁ ଉପ ଜିଲ୍ଲାପାଳ ଏମସିଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ସର୍ବୋଚ୍ଚ ନ୍ୟାୟାଳୟ , ଭାରତ ସରକାର, ରାଜ୍ୟ ପରିବହନ ବିଭାଗ ଓ ଖଣି ସୁରକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଥିବାପରେ ମଧ୍ୟ ଏହି ନିୟମ ଖଣିରେ ଉଲ୍ଲଂଘନ କରାଯାଉଛି ବୋଲି ସଂଘ ତରଫରୁ ଅଭିଯୋଗ କରାଯାଇଛି। ତେଣୁ ଆଗାମୀ ଦିନରେ ଖଣି କର୍ତ୍ତୃପକ୍ଷ ଯଦି ଓଭରଲଡିଂ ବନ୍ଦ୍ ନକରନ୍ତି ତେବେ ସଂଘ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ବିରଞ୍ଚି ସାହୁ, ସମ୍ପାଦକ ବିଜୟ ବିଶ୍ଵାଳଙ୍କ ସମେତ ମହେନ୍ଦ୍ର ବେହେରା, ନିରଞ୍ଜନ ପ୍ରଧାନ, ଗିରିଶ ପ୍ରଧାନ, ସ୍ଵାଧୀନ ଥମ୍ବ ଓ ରଙ୍ଗାଧର ନାହାକ ପ୍ରମୁଖ ଉପସ୍ଥିତ ଥିଲେ।




