ପାରମ୍ପରିକ ପର୍ବ ଓ ଲୋକ କଳା ଆମ ଜାତୀୟ ଅସ୍ମିତାର ପ୍ରତୀକ : ରଜ ମହୋତ୍ସବ


ବ୍ରହ୍ମପୁର::-ରାଜ୍ୟର ଅଗ୍ରଣୀ ଓ ପୁରାତନ ସାଂସ୍କୃତିକ ସଂଗଠନ “ଜାତୀୟ ସଙ୍ଗୀତ କଳା କେନ୍ଦ୍ର ଏବଂ ମଞ୍ଚଜ୍ୟୋତି : ଏକ ଅନନ୍ୟ ସାଂସ୍କୃତିକ ପ୍ରତିଷ୍ଠାନ”ର ମିଳିତ ଆନୁକୂଲ୍ୟରେ “ରଜ ମହୋତ୍ସବ : ୨୦୨୫” ମହା ସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ର ଙ୍କ ସଂଯୋଜନା କ୍ରମେ ମଞ୍ଚଜ୍ୟୋତି ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଅତିଥି ଭାବରେ ଯୋଗଦେଇ ଆମ ପାରମ୍ପରିକ ପର୍ବ ଓ ଆମ ଲୋକ କଳା ଆମ ଜାତୀୟ ଅସ୍ମିତାର ପରିଚାୟକ ଓ ଏହା ଆମ ଜନ ଜୀବନକୁ ସରସ, ସୁନ୍ଦର ଓ ୠଦ୍ଧିମନ୍ତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଲୋକ ନାଟ୍ୟ ସଂଗଠକ ରବୀନ୍ଦ୍ର କୁମାର ପ୍ରଧାନ ଓ ଏସ. ରାଜେନ୍ଦ୍ର ରେଡ୍ଡୀ ଏବଂ ଲୋକ ନାଟକ ନିର୍ଦ୍ଦେଶକ ଅରୁଣ କୁମାର ଜେନା ଓ ରବୀନ୍ଦ୍ର ବେହେରାଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କଳା କେନ୍ଦ୍ର ସମ୍ପାଦକ ସ୍ଵରଗୌରବ କୃଷ୍ଣ ପ୍ରସାଦ ସାବତ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଗୁରୁ ବି. ଶିବ ପ୍ରସାଦ ରାଓ ଏବଂ ଶେଖର ସୁମନ ମାଝିଙ୍କ ଛାତ୍ରୀମାନେ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିଥିଲେ। ଏତଦ୍ ବ୍ୟତୀତ ଓଡ଼ିଶାର ଲୁପ୍ତ ପ୍ରାୟ ଲୋକ ନାଟକ ମହନ୍ତ ଶ୍ରୀ ରାମାଧୀନ ଦାସ କୃତ ତଥା ହରିଡ଼ାଖଣ୍ଡି ଶ୍ରୀଶ୍ରୀଶ୍ରୀ ଲକ୍ଷ୍ମୀ ନୃସିଂହ ନାଟ୍ୟ ସଂଘ ପ୍ରଯୋଜିତ “ରାବଣ ଦର୍ପ ଦଳନ ବା ରାମ ନାଟକ” ମହୋତ୍ସବର ମୂଖ୍ୟ ଆକର୍ଷଣ ବିନ୍ଦୁ ଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ରାମ ପ୍ରସାଦ ସାବତ, ପ୍ରଦୀପ କୁମାର ସାହୁ, ଆଶୁତୋଷ ମହାପାତ୍ର, ମହେନ୍ଦ୍ର କୁମାର ସାହୁ, ଉମାମଣି ସାବତ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ମଞ୍ଚଜ୍ୟୋତି ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ !!
ବ୍ୟୁରୋ ରିପୋର୍ଟ ସମର୍ଥ ନ୍ୟୂଜ ଓଡ଼ିଶା !!




