Breaking News

ବିଜେପି ସରକାର ଏକବର୍ଷ ପୂର୍ତ୍ତିର ବିଫଳତା ଓ ଅପାରଗତାକୁ ନେଇ ବିଜେଡ଼ି ତରଫରୁ ସାମ୍ବାଦିକ ସମ୍ମିଳନୀ

ଭବାନୀପାଟଣା: ଗୋଟେ ପଟେ ବିଜେପି ସରକାର ତାର‌ ଏକ ବର୍ଷ ପୂର୍ତ୍ତି ନେଇ ସମସ୍ତ ଜିଲ୍ଲାରେ ବିକାଶ ମେଳା କରୁଥିବା ବେଳେ, ବିଜେଡି ଏହାକୁ ଡବଲ ଇଞ୍ଜିନର ଡବଲ ଧୋକା ବୋଲି କହୁଛି । ଆଜି କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତିର ବିଫଳତା ଓ ଅପାରଗତାକୁ ନେଇ ସ୍ଥାନୀୟ ଏକ ହୋଟେଲ ଠାରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ବିଜେପି ସରକାର ଆସିଲା ଦିନଠାରୁ ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଓଡ଼ିଶାର ମହିଳା ଓ ନାବାଳିକା ସୁରକ୍ଷିତ ନାହାନ୍ତି । ଚୋରୀ, ଧର୍ଷଣ, ଡକାୟତି ବଢ଼ିବାରେ ଲାଗିଛି। ଏପରିକି ଗତବର୍ଷ ଅପେକ୍ଷା ରାଜ୍ୟରେ ୮ ଶତକଡା ଧର୍ଷଣ ବଢ଼ିଛି ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛି । ସେହିପରି କେନ୍ଦ୍ର ଅନୁଦାନ ୧୮ ଶତକଡା ହ୍ରାସ ପାଇବା, ବିଏସକେଓ୍ବାଇ ତୁଳନାରେ ଆୟୁଷ୍ମାନ ଭାରତ ଯୋଜନା ଫେଲ ମାରିବା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ଜାଣିଶୁଣି ଅକ୍ଷମ କରିବା, ଛାତ୍ର ଛାତ୍ରୀଙ୍କ ନୂଆ-ଓ ସ୍କୋଲାର୍ସିପ ବନ୍ଦ କରିବା, ଆଦିବାସୀ ଓ ଚାଷୀ ପ୍ରତି ଅନ୍ୟାୟ ଆଦି ଘଟଣା ଡବଲ ଇଞ୍ଜିନ ସରକାର ସାଧାରଣ ଲୋକଙ୍କୁ ଧୋକା ଦେଇଛି ବୋଲି ରାଜ୍ୟ ଛାତ୍ର ବିଜେଡି କାର୍ଯ୍ଯକାରୀ ସଭାପତି ଅବିନାଶ ଠାକୁର କହିଛନ୍ତି। ଅନ୍ୟପକ୍ଷରେ କଳାହାଣ୍ଡି ଜିଲ୍ଲାର ବିକାଶ ଶିଥିଳ ହେବା, ବିଭିନ୍ନ ବିଭାଗରେ ପିସି କାରବାର ବୃଦ୍ଧି, ବର୍ଷକରେ ରାଜ୍ୟର ଋଣ ଭାର ୯୪ ହଜାର କୋଟି କରିବା, ଚିଟଫଣ୍ଡ ଜମାକାରୀଙ୍କ ପଇସା ଫେରାଇବା ପ୍ରତିଶ୍ରୁତି ଧୁଆଁ ବାଣ ହୋଇଛି ବୋଲି ବରିଷ୍ଠ ବିଜେଡି ନେତା ସାରଦା ପ୍ରସନ୍ନ ସ୍ବାଇଁ କହିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୋରାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜିଲ୍ଲା ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପ୍ରଶାନ୍ତ ନାଏକ, ଯୁବ ବରିଷ୍ଠ ଉପ-ସଭାପତି ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ସାମନ୍ତ ଖମାରୀ, କ୍ଷୀରସିନ୍ଧୁ ନାଏକ, ଚକ୍ର ସେଠୀ ପ୍ରମୁଖ ଯୋଗଦେଇଥିଲେ। ଆଗାମୀ ଦିନରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଜନଜାଗରଣ ଅଭିଯାନ ଜରିଆରେ ଗାଁ ଗାଁରେ ସଭା କରାଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button