Breaking News

ସେଙ୍ଗେଲ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ମାଝୀ ପାର୍ଗାନା ମହଲ ସଂଗଠନକୁ (ବ୍ୟାନ୍) ପ୍ରତିବନ୍ଧ କରାଯାଉ

 

ବାରିପଦା,୧୦।୦୬ : ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ ପାର୍ଗାନା ମାଡୱା ଓଡ଼ିଶା ପ୍ରଦେଶ କମିଟିର ସେଙ୍ଗେଲ ପାର୍ଗାନା ଶ୍ରୀ ନାରାନ ମୁର୍ମୁଙ୍କ ନେତୃତ୍ୱରେ ଜିଲ୍ଲାପାଳ ମୟୁରଭଞ୍ଜ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । କୁହାଯାଇଛି ଯେ ତା.27.05.2025 ରିଖ ଦିନ ଶରତ ଥାନା ଅନ୍ତର୍ଗତ କେଶପାଳା ଗ୍ରାମର ଶ୍ରୀ ସାଗ୍ରାମ ସୋରେନ ହାଣ୍ଡିଆ, ମଦ ପରି ନିଶାଦ୍ରବ୍ୟ ବ୍ୟବହାର ବିନା ତାଙ୍କ ପିତାଙ୍କର ଶୁଦ୍ଧିକ୍ରିୟା କାର୍ଯ୍ୟ କରିଥିବାରୁ ଶ୍ରୀ ସାଗ୍ରାମ ସୋରେନଙ୍କୁ ସାମାଜିକ ବାସନ୍ଦ (ବହିଷ୍କାର) କରିବାର ତୁଗଲକ ଆଦେଶ ଜାରି କରି ହତ୍ୟାର ଧମକ ଦେଇଥିବା ମାଝୀ-ପାର୍ଗାନା ମହଲ ସଂଗଠନର କାର୍ଯ୍ୟକର୍ତ୍ତାମାନେ – ମର୍ଯ୍ୟାଦା ସହ ବଞ୍ଚି ରହିବାର ମୌଳିକ ଅଧିକାର ଉପରେ ହାମଲା ସହିତ ସମ୍ବିଧାନ, ଆଇନ ଏବଂ ମାନବାଧିକାରର ସିଧା ଉଲଂଘନ ଏବଂ ହତ୍ୟା କରିଛନ୍ତିି । ସେଙ୍ଗେଲ ଏହାକୁ ଘୋର ନିନ୍ଦା କରୁଅଛି । ତେଣୁ ଜିଲ୍ଲା ପ୍ରଶାସନ ଅବିଳମ୍ବେ ଉକ୍ତ ମାଝୀ ପାର୍ଗାନା ମହଲ ସଂଗଠନକୁ ଅସାମ୍ବିଧାନିକ, ଅବୈଧ, ଅନ୍ତଃରାଷ୍ଟ୍ରୀୟ ମାନବାଧିକାର ବିରୋଧୀ ଘୋଷଣା କରି ସଂଗଠନକୁ ପ୍ରତିବନ୍ଧିତ କରନ୍ତୁ ଏବଂ ଏହିପରି ଅନ୍ଯାୟ, ଅତ୍ୟାଚାର କାର୍ଯ୍ୟରେ ସଂପୃକ୍ତ ସଂଗଠନର କାର୍ଯ୍ୟକର୍ତ୍ତାମାନଙ୍କୁ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅବିଳମ୍ବେ ଗିରଫ କରାଯିବାକୁ ଦାବି ହୋଇଛି । କାରଣ, ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ସମ୍ବିଧାନ, ଆଇନ ଏବଂ ଜନତନ୍ତ୍ରକୁ ବାରମ୍ବାର ଚ୍ୟାଲେଞ୍ଜ୍ କରୁଛନ୍ତି ଏବଂ ଏବେ ବାସନ୍ଦ ପରିବାରର ଜୀବନ ପ୍ରତି ବିପଦ ଅଛି, ଅବିଳମ୍ବେ ପ୍ରଶାସନ ତରଫରୁ ନ୍ୟାୟ ଏବଂ ସୁରକ୍ଷା ଦିଆଯିବା ପାଇଁ ଦୃଢ଼ ଦାବି କରାଯାଇଛି ।
ଦାବିପତ୍ରରେ ଦର୍ଶାଯାଇଛି ଯେ, ଉକ୍ତ ମାଝୀ ପାର୍ଗାନା ମହଲ ସଂଗଠନର କାର୍ଯ୍ୟକର୍ତ୍ତା ମାନେ ସମ୍ବିଧାନ, ଆଇନ, ଜନତନ୍ତ୍ର କିଛି ମାନୁ ନାହାନ୍ତି । ଦେଶ ଦ୍ରୋହ କାର୍ଯ୍ୟ କରିଚାଲିଛନ୍ତି ବୋଲି ଅଭିଯୋଗ କରାଯାଇଛି । ଏହି ସଂଗଠନର କାର୍ଯ୍ୟକର୍ତ୍ତାମାନେ ହିଁ ଆଦିବାସୀ ଗ୍ରାମ ସମାଜରେ ନିରୀହ ଆଦିବାସୀ ପରିବାରକୁ ସାମାଜିକ ବାସନ୍ଦ କରି, ମନଇଚ୍ଛା ଜରିମାନା ଆଦାୟ କରି, ଡାହାଣୀ ନାମରେ ହତ୍ୟା, ପ୍ରତାରଣା କରି କନ୍ଦାଉଛନ୍ତି ଏବଂ ହାଣ୍ଡିଆ, ମଦ ପାଇଁ ଏବେବି ଏହିପରି ସମ୍ବିଧାନ, ଆଇନ ବିରୋଧୀ କାର୍ଯ୍ୟ ଜାରୀ ରଖି ଅନେକ ଆଦିବାସୀ ପରିବାରଙ୍କର ବିବାହ କାର୍ଯ୍ୟ, ଶୁଦ୍ଧିକ୍ରିୟା କାର୍ଯ୍ୟ ତଥା ସାମାଜିକ କାର୍ଯ୍ୟ କରାଇବାକୁ ଦେଉନାହାନ୍ତି । ମାଝୀ ପାର୍ଗାନା ମହଲ ସତରେ ଗୁଣ୍ଡାଗିରି, ଦାଦାଗିରି ଲୋକମାନଙ୍କର ସଂଗଠନ ଅଟେ ବୋଲି କୁହାଯାଇଛି । ଏମାନେ ଆଦିବାସୀ ସମାଜରେ ଗୁଣ୍ଡାରାଜ ଚଲାଇ ଅଶାନ୍ତି ସୃଷ୍ଟି କରାଉଛନ୍ତି ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି । ତେଣୁ ଯଥାଶୀଘ୍ର ଯାଞ୍ଚ କରି ସଂଗଠନକୁ ପ୍ରତିବନ୍ଧ କରାଯାଉ ଏବଂ ଆଦିବାସୀ ସମାଜରୁ ମନଇଚ୍ଛା ଜରିମାନା, ସାମାଜିକ ବହିସ୍କାର, ଡାହାଣୀ ନାମରେ ହତ୍ୟା, ଅନ୍ଧବିଶ୍ୱାସ, ନିଶା ସେବନ, ଆଦିବାସୀ ମହିଳା ବିରୋଧୀ ମାନସିକତା, ଭୋଟ କିଣା ବିକାକୁ ସମାପ୍ତ କରି ଆଦିବାସୀ ଗ୍ରାମ ସମାଜରେ ବଂଶାନୁଗତ ସ୍ୱଶାସନ ବ୍ୟବସ୍ଥାରେ ଜନତାନ୍ତ୍ରିକ ସୁଧାର, ସମ୍ବିଧାନ, ଆଇନ, ମାନବାଧିକାର ଏବଂ ବଞ୍ଚିବାର ମୌଳିକ ଅଧିକାରକୁ ଦୃଢ଼ ଭାବରେ ଲାଗୁ କରାଯିବାକୁ ଦାବି କରାଯାଇଛି । ଦାବି ପୂରଣ କରାନଗଲେ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦିଆଯାଇଛି ।
ଦାବିପତ୍ର ପ୍ରଦାନ ବେଳେ ବାରିପଦା ସବଡିଭିଜୋନାଲ ସେଙ୍ଗେଲ ସଭାପତି ବିକାଶ ଚନ୍ଦ୍ର ହେମ୍ବ୍ରମ, କପ୍ତିପଦା ସବଡିଭିଜୋନାଲ ସେଙ୍ଗେଲ ପାର୍ଗାନା ଉଦୟନାଥ ହେମ୍ବ୍ରମ, ମାଝୀଆ ହାଁସଦାଃ, ବୁଧୁରାମ ବାସ୍କେ, ଦାସମାତ ମୁର୍ମୁ ପ୍ରମୁଖ ସେଙ୍ଗେଲ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Related Articles

Back to top button