Breaking News

ମାଁ ମାରିଆ ସ୍ୱର୍ଗରାଣୀ ଦେବାଳୟ ପ୍ରତିଷ୍ଠା ମହୋତ୍ସବ 

 

ମୋହନା:0୮/0୬/୨୫(ସୁବିତ କୁମାର ନାୟକ)ଗଜପତି ଜିଲ୍ଲା ଆଟଲିମା ଧର୍ମାଞ୍ଚଳ ଅନ୍ତର୍ଗତ କେଶରୀଗୁଡ଼ା ଗ୍ରାମ୍ୟ ମଣ୍ଡଳୀରେ ମାଁ ମାରିଆ ସ୍ବର୍ଗରାଣୀ ଦେବାଳୟ ଆନନ୍ଦ ଉଲ୍ଲାସର ସହ ପ୍ରତିଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ବ୍ରହ୍ମପୁର ଧର୍ମପ୍ରଦେଶର ଧର୍ମାଧ୍ୟକ୍ଷ ଡ. ଶରତ ଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବରେ ଯୋଗଦେଇ ନବନିର୍ମିତ ଦେବାଳୟକୁ ପ୍ରତିଷ୍ଠା କରିବା ସହ ମୁଖ୍ୟ ପୁରୋହିତ ଭାବରେ ଦିବ୍ୟଯଜ୍ଞ ପୌରହିତ୍ୟ କରିଥିଲେ। ବାକ୍ୟ ପ୍ରଚାରରେ ନବପ୍ରତିଷ୍ଠିତ ସୁନ୍ଦର ଦେବାଳୟ ନିମନ୍ତେ ଖୁସିବ୍ୟକ୍ତ କରିବା ସହ କେଶରୀଗୁଡ଼ା ମଣ୍ଡଳୀକୁ ଶୁଭେଚ୍ଛା ଜ୍ଞାପନ କରିଥିଲେ ଏବଂ ଏହି ଦେବାଳୟ ନିର୍ମାଣ ନିମନ୍ତେ ବିଭିନ୍ନ ମାଧ୍ୟମରେ ଅବଦାନ ରହିଥିବା ବିଭିନ୍ନ ବଦାନ୍ୟଶୀଳ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ସେମାନଙ୍କ ସର୍ବମଙ୍ଗଳ କାମନା କରିଥିଲେ। ଦୈନନ୍ଦିନ କିଛି କିଛି ସମୟ ବାହାରକରି ଏହି ଦେବାଳୟକୁ ଆସି ପ୍ରାର୍ଥନା କରିବାକୁ ସେ କେଶରୀଗୁଡ଼ା ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ। ଦିବ୍ୟଯଜ୍ଞ ସମାପ୍ତ ପରେ ଧନ୍ୟବାଦ କାର୍ଯ୍ୟକ୍ରମ ସମ୍ପନ୍ନ କରାଯାଇଥିଲା। ଏହି ମହୋତ୍ସବରେ ପାରଳାଖେମୁଣ୍ଡି ଧର୍ମାଞ୍ଚଳ ମୁଖ୍ୟଯାଜକ ଫା. ଅଜିତ କୁମାର ନାୟକ MC ଭାବରେ ଦାୟିତ୍ଵ ନିର୍ବାହ କରିଥିବା ବେଳେ ଦାନ୍ତଲିଙ୍ଗି ଧର୍ମାଞ୍ଚଳ ସହକାରୀ ଯାଜକ ଫା. ଯୁଷ୍ମନ ବିଷୋୟୀ ସଙ୍ଗୀତ ପରିଚାଳନା ଦାୟିତ୍ଵ ସମ୍ପନ୍ନ କରିଥିଲେ। ଆଟଲିମା ଧର୍ମାଞ୍ଚଳର ମୁଖ୍ୟଯାଜକ ଫା. ପ୍ରତାପ ନାୟକଙ୍କ ନେତୃତ୍ୱରେ ସହକାରୀ ଯାଜକ ଫା. ରାଜୀବ ନାୟକ, କେଶରୀଗୁଡ଼ା ଗ୍ରାମ୍ୟ ମଣ୍ଡଳୀ ବେହେରା ଶ୍ରୀ. ମାର୍କ ବୀର, ସମ୍ପାଦକ ଶ୍ରୀ. ଏଲିସାୟ ଗାନାୟକ, ଉପଦେଷ୍ଟା ଶ୍ରୀ. ସିରିଏଲ ନାୟକ, ତଥା ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଏହି ମହୋତ୍ସବକୁ ସଫଳତାର ସହ ଆୟୋଜନ କରାଯାଇଥିଲା।

Related Articles

Back to top button