Breaking News

କେରଳରେ ଦାଦନ ଖଟୁଛି ମାଟ୍ରିକ ଟପ୍ପର ଛାତ୍ର

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ – ଦଶମ ବୋର୍ଡ ପରୀକ୍ଷାରେ ଏ-୨ ଗ୍ରେଡ଼ ପାଇ ସମଗ୍ର ବ୍ଲକକୁ ଗର୍ବିତ ଓ ଗୌରବାନ୍ୱିତ କରିଛି ଲାଞ୍ଜିଗଡ ବ୍ଲକ ବନ୍ଧପାରୀ ପଞ୍ଚାୟତ ଟିମନବାଡି ଗାଁ ତଥା ବିଶ୍ୱନାଥପୁର ଗୋପବନ୍ଧୁ ହାଇସ୍କୁଲର ଛାତ୍ର ସୂରଜ ନାଗ। ଏଇ କିଛି ଦିନ ତଳେ ଘୋଷିତ ଦଶମ ପରୀକ୍ଷା ଫଳାଫଳରେ ୪୯୮ ମାର୍କ ରଖି ସେ କୃତୀତ୍ୱ ଅର୍ଜନ କରିଛି। ପରୀକ୍ଷାରେ ଏଇ ସଫଳତାକୁ ନେଇ ପରିବାର ଓ ଗାଁ ଲୋକେ, ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ବେଶ ଖୁସି ଜାହିର କରୁଛନ୍ତି। ଏପରିକି ସୂରଜଙ୍କ ସହିତ ଆଉ ଦୁଇଜଣ ଛାତ୍ରଛାତ୍ରୀଙ୍କୁ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଛି। କିନ୍ତୁ ଏହି ସମ୍ବର୍ଦ୍ଧନା ସଭାରେ ସୂରଜ ନିଜେ ଉପସ୍ଥିତ ହୋଇପାରିନଥିଲା। କାରଣ ତିନିମାସ ହେଲା କେରଳରେ ଦାଦନ ଖଟୁଛି ମେଧାବୀ ଛାତ୍ର ସୂରଜ। ପରିବାରର ଆର୍ଥିକ ଅନାଟନ, ଗରିବୀ ତାକୁ ସଜାଇଛି ଜଣେ ଦାଦନ ଶ୍ରମିକ। କେରଳ ରାଜ୍ୟ ଆଲୁଭା ନିକଟସ୍ଥ ଏକ ପଥର କ୍ରସରରେ ସେ ଏବେ ଦିନ ମଜୁରିଆ ଦାଦନ ଶ୍ରମିକ। ଯେଉଁଠି ପାଦ ପାଦରେ ପ୍ରତି ମୁହୂର୍ତ୍ତରେ ବିପଦ ଛକି ବସିଛି। ସେଇ ପଥର କ୍ରସରରେ ମେଧାବୀ ଛାତ୍ର ସୂରଜ ଦାଦନ ଖଟୁଛି। ଅପରପକ୍ଷରେ ଲାଞ୍ଜିଗଡ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ପାଇଁ ନିମନ୍ତ୍ରଣ ଦେବା ପରେ ଏହି ଘଟଣା ଆଜି ସାମ୍ନାକୁ ଆସିଛି। ପରିବାରର ଗରିବୀ ଓ ଅର୍ଥାଭାବ ଜଣେ ମେଧାବୀ ଛାତ୍ରକୁ ଦାଦନ ସଜାଇଛି। ଘରେ ବୁଢା ବାପ-ମାଆ ଓ ଭାଇ ଥିବାବେଳେ ନିଜ ଫର୍ମ ପୂରଣ ଓ ନାମଲେଖା ପାଇଁ ସେ ଟଙ୍କା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଇଥିବା ତାଙ୍କ ପରିବାର ଲୋକେ ସ୍ୱୀକାର କରିଛନ୍ତି। ତେବେ ଅର୍ଥାଭାବ ଓ ପରିବାରର ଆର୍ଥିକ ଦୁର୍ଗତି ଯୋଗୁଁ ଜଣେ ମେଧାବୀ ଛାତ୍ର ଦାଦନ ଖଟିବାକୁ ବାଧ୍ୟ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଚିନ୍ତାବ୍ୟକ୍ତ କରାଯାଇଛି। ଏଣୁ ଦାଦନ ସାଜିଥିବା ମେଧାବୀ ଛାତ୍ରଙ୍କୁ ଉଦ୍ଧାର କରି ଉଚ୍ଚଶିକ୍ଷା ପ୍ରଦାନ ପାଇଁ ସରକାର, ପ୍ରଶାସନ କିମ୍ବା କୌଣସି ଘରୋଇ ଶିକ୍ଷାନୁଷ୍ଠାନ ଆଗେଇ ଆସିବାକୁ ଦାବି ହେଉଛି।ଭବାନୀପାଟଣ ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button