କାଳ ନାଗୁଣୀ

କାଳ ନାଗୁଣୀ
****
ବର୍ଷଣ ମୁଖର ଅମାବାସ୍ୟା ରାତ୍ରିର
ନିଶାର୍ଦ୍ଧରେ ବୋଧେ ତା’ର ଜନ୍ମ !
ଜାରଜର ଜରାୟୁରୁ ଜନ୍ମବୋଲି
ପରିବାରକୁ ବି ପରବାୟ ନାଇଁ ତା’ର ।
ଦୁନିଆଁ ଦେଖିବା ଆଗରୁ
ସେ’ ଦଂସିବା ଶିଖିଛି
ଦେବା ଓ ପାଇବା ବଦଳରେ
ଫାସ ଖେଳିଛି ।
ସେ’
ନିମିଷେ ମଧ୍ୟରେ ନିଜର କରିପାରେ
ତା’ର କାଉଁରୀ କଳାରେ,
ଗଣିକମାନଙ୍କୁ ମାତାଲକରେ
କ୍ଷଣିକ ମଧ୍ୟରେ ।
ଭାଗ ପାଇବା ଆଶାରେ
ଭୋଗର ପ୍ରତିଶୃତି ଦିଏ
ରାତିରେ ରତି ବାଣ୍ଟେ,
ଯୁଆଡେ ଯାଏ,
ପାଣି ପବନ ବିଷାକ୍ତ କରେ !
ତା’ର ଦେହର ଚମଡ଼ାରେ
କାଳ ସର୍ପର ବିଷ,
ନାଭି ଭଉଁରୀରେ
ବାହୁ ବନ୍ଧନରେ ଫାସ ।
ମାନ ମର୍ଯ୍ୟାଦାର ସେ’ ପାରିରେ
ଅଭିଳାଷର ଐଶ୍ୱର୍ଯ୍ୟ ଗଢେ,
ଅନିମନ୍ତ୍ରିତ ଆଗନ୍ତୁକ ହୋଇ
ସବୁଆଡ଼େ ପାଦକାଢ଼େ ।
ତା’ ଓଠରେ
ପଦ୍ମତୋଳାର ଚୋଟ,
ସହଜେ ଆପଣେଇ ନେବାର କଳା
ତା’ ପାଖରେ ଖୁବ ଯଥେଷ୍ଟ ।
ସେଥିପାଇଁ ସେ’
ସହଜେ ଆଦର ପାଏ,
ଆଙ୍ଗୁଠି ବଦଳରେ କହୁଣୀଭରେ
ତା’ ବିକଳ ଅଭିନୟ ଆଗରେ
କରୁଣାର ବର୍ଷା ହୁଏ ।
ତଥାପି ସେ’
ଦଂସିବାରେ କ’ଣ
କାହାକୁ ବାଦ ଦିଏ ???
ଡ. ଶୁଭେନ୍ଦୁ ମେହେର
ଯାଲୋଏ, ସୁବର୍ଣ୍ଣପୁର
ମୋ -9938433664