Education

ନବଘନ ନାୟକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀଙ୍କୁ ବିପୁଳ ସମ୍ବର୍ଦ୍ଧନା

ବେଗୁନିଆପଡା, (): ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରି ସ୍ଥିତ ନବଘନ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନବାଗତ ଛାତ୍ରଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ବେଶ ଧୁମଧାମରେ ପାଳିତ ହେବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ବହୁ ଗୁରୁତ୍ୱପୁର୍ଣ ବାର୍ତ୍ତା ଦିଆଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ବନିତା ନାହାକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀ ତ୍ରିନାଥ ନାହାକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବାଗତ ତଥା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉଧ୍ୟେଶ୍ୟରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିବା ସହିତ ପିଲାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଜଣେ ଛାତ୍ର କିମ୍ବା ଛାତ୍ରୀ ପାଇଁ ଶିକ୍ଷା ଯେତିକି ଜରୁରୀ ଚରିତ୍ର, ଶିଷ୍ଠାଚାର ଓ ନୀତି ଶିକ୍ଷା ବି ନିହାତି ଜରୁରୀ ବୋଲି କହିଥିଲେ ଶ୍ରୀ ନାହାକ । ଏହା ସହ ସମସ୍ତେ ସ୍ବପ୍ନ ଦେଖନ୍ତୁ ଏବଂ ସ୍ବପ୍ନକୁ ସାକାର କରିବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରନ୍ତୁ ବୋଲି ମଧ୍ୟ ଉପଦେଶ ଦେଇଥିଲେ । ଏହି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ପୂର୍ବରୁ ଅନେକ ସଫଳତା ପାଇଥିବା ବେଳେ ଶିକ୍ଷଣୀୟ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ନୈତିକ ଶିକ୍ଷା ଉପରେ ସମସ୍ତେ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ ବୋଲି କହିଥିଲେ ଉପସ୍ଥିତ ଅତିଥି । ନିଜର ବ୍ୟକ୍ତିତ୍ୱ, ଗାରିମା ବଢାଇବା ସହିତ ନିଜର ଭବିଷ୍ୟତ ପାଇଁ ଏବେଠାରୁ ନୀତି ନିର୍ଧାରଣ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ପରେ ପରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଅଭିଭାଷଣ ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ସଫଳତାର ଶ୍ରେୟ ପୂର୍ବକ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ଗଞ୍ଜାମ
ଜିଲ୍ଲା ଆର୍ଟ୍ସ ଟପର ସଂଯୁକ୍ତା ସାମଲ,ବେଗୁନିଆପଡା ବ୍ଲକ ଆର୍ଟ୍ସ ଟପର ସୁନିତା ମାହାନ୍ତି, ଉଷାରାଣି ପଲେଇ, ମୌସୁମୀ ଖୁଣ୍ଟିଆଙ୍କ ସମେତ ସମସ୍ତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନିରଞ୍ଜନ ପରିଡା, କୁମାରୀ ତପସ୍ୱିନୀ, ଶାଳିନୀ ମେହେଣା, ମାଣିକ ଡାକୁଆ ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଚାରି ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଶୃଙ୍ଖଳାର ସହିତ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Related Articles

Back to top button