Breaking News
ଅଷ୍ଟମୀ ଏଣ୍ଡୁରୀ


ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ
ଆମ ସମାଜରେ ପଢ଼ୁଆଁ ପିଲାଙ୍କ
ମାନ ବଢ଼ାଇବା ପାଇଁ –
ହେମନ୍ତ କାଳରେ ପ୍ରଥମାଷ୍ଟମୀଟା
ଆସଇ ଧରାକୁ ଧାଇଁ,
ଭଣଜା ଭାଣିଜୀ ମାନଙ୍କ ମନରେ
ଭରିଦେବା ପାଇଁ ଖୁସି –
ଯଥା ସମୟରେ ଧରି ନାନା ତିଜ
ମାମୁ ପହଞ୍ଚନ୍ତି ହସି,
ହଳଦିପତରେ ଏଣ୍ଡୁରୀ ପିଠା ଯେ
ଗଢ଼ାଯାଇ ଘରେ ଘରେ –
ଷଠୀ ଦେବୀ ପାଶେ ଲାଗିଥାଏ ଭୋଗ
ଏହି ଶୁଭଦିନ ଟିରେ,
ମାମୁଘର ମିଠା ମାଆ ଗଢ଼ା ପିଠା
ଲାଗେ ଭାରି ସୁଆଦିଆ –
ପିଲାଙ୍କ ଦେହରେ ସାଜେ ଏହିଦିନ
ପୋଷାକ ଯେ ନୂଆ ନୂଆ,
ଭଉଣୀର ପୁଅଝିଅଙ୍କୁ ନିଜର
ଭାବିଣ ପ୍ରତିଟି ଭାଇ –
ଏହି ପରବରେ କରନ୍ତି କରମ
ଅନ୍ତରୁ ଶରଧା ଦେଇ,
ମହ ମହ ବାସେ ସେନେହ ମମତା
ଅଷ୍ଟମୀ ଏଣ୍ଡୁରୀ ପରି –
ପ୍ରତି ଓଡ଼ିଆଙ୍କ ଦେହରେ ମନରେ
ଦିଏ ସେ ପୁଲକ ଭରି ।
***
କଣ୍ଟାବଣିଆ, ଛତ୍ରପଡ଼ା,ପ୍ରୀତିପୂର,ଯାଜପୁର,ଓଡ଼ିଶା




