ନୂଆପଡ଼ା ଉପନିର୍ବାଚନ ତାତି: ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଚାଞ୍ଚଲ୍ୟ, ବିଶାଳ ରୋଡ଼ ଶୋ


ନୂଆପଡ଼ା, (ପରମେଶ୍ୱର ମେହେର ) ନୂଆପଡ଼ା ବିଧାନସଭା ଉପନିର୍ବାଚନ ଦିନକୁ ଦିନ ତିବ୍ର ହୋଇଯାଉଛି । ପ୍ରଚାରରେ ରାଜନୈତିକ ତାପମାତ୍ରା ବଢ଼ୁଥିବା ସମୟରେ ଆଜି ଦୁଇ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀ ନୂଆପଡ଼ାରେ ପହଞ୍ଚିଥିବା ଯୋଗୁଁ ଅଞ୍ଚଳରେ ରାଜନୈତିକ ଚର୍ଚ୍ଚା ଗରମ ହୋଇଯାଇଛି । ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପନିର୍ବାଚନ ପ୍ରଚାର ସୂଚନାନୁସାରେ ଉଦ୍ୟନବନ୍ଧ ଏବଂ କୋମନା ଅଞ୍ଚଳରେ ଦୁଇଟି ବିଶାଳ ସଭାକୁ ସମ୍ବୋଧିତ କରି ଜନସମର୍ଥନକୁ ସଙ୍ଗଠିତ କରିଥିଲେ ତା ସହ ହଜାର ହଜାର ସଂଖ୍ୟାରେ ରୋଡ଼ ଶୋ ମଧ୍ୟ କରାଯାଇଥିଲା । ଏହି ସଭାକୁ ନେଇ ସହସ୍ର ସହସ୍ର ଲୋକଙ୍କ ଭିଡ଼ ଦେଖାଗଲା । ଏଥିରେ ବିଧାୟକ ପ୍ରାର୍ଥୀ ଜୟ ଢୋଲକିଆ, ବସନ୍ତ ପଣ୍ଡା ସହ ବିଜେପି ବହୁତ ବଡ଼ ବଡ଼ ହେବିୱେଟ ନେତା ଯୋଗ ଦେଇଥିଲେ । ଏହିପରି, ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ମଧ୍ୟ ଆଜି ନୂଆପଡ଼ା ପଞ୍ଚମପୁର ଠାରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଥିଲେ । ସେଥିରେ ସେ ଅଞ୍ଚଳର ଜନ ସମସ୍ୟା ଓ ବିକାଶ ମୂଳକ ଭବିଷ୍ୟତ ପ୍ରସଙ୍ଗରେ ଉକ୍ତି ରଖିଥିଲେ । ସୂଚନା ମିଳିଛି ଯେ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ସାଏ ସ୍ୱତନ୍ତ୍ର ହେଲିକପ୍ଟର ମାଧ୍ୟମରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟପଟେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝୀ ସଡ଼କ ପଥରେ ରାୟପୁର ଯାଇ ସେଠାରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚିତ ହୋଇଛି । ନୂଆପଡ଼ା ଉପନିର୍ବାଚନ ଦିନ ନିକଟସ୍ଥ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ବିଭିନ୍ନ ଯୋଜନା, ରଣନୀତି ଓ ପ୍ରଚାରକୁ ତିବ୍ର କରିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅଞ୍ଚଳରେ ରାଜନୀତିକ ଲଢ଼େଇକୁ ଅଧିକ ରୋମାଞ୍ଚକ କରିଦେଇଛି ।




