Breaking News

ପବିତ୍ର କାର୍ତିକପୂର୍ଣ୍ଣିମା ‘ଡ଼ଙ୍ଗାଭସା’ ଅବସରରେ ତାଳଚେର ସହର ଭକ୍ତମୟ

ତାଳଚେର, ୦୫/୧୧ ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା ‘ଡ଼ଙ୍ଗାଭସା’ ଅବସରରେ ସହର ଠାରୁ ଗ୍ରାମଚଂଳ ପର୍ଯ୍ୟନ୍ତ ଶୈବପୀଠ ସମେତ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର ଗୁଡ଼ିକରେ ଭକ୍ତମୟ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ପରିବାରର ଛୋଟପିଲାଙ୍କ ଠାରୁ ଆରମ୍ଭକରି ବରିଷ୍ଠ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ପ୍ରାତଃ କାଳରୁ ତାଳଚେର ସହରରେ ବୋହି ଯାଉଥିବା ଚିରୋସ୍ରୋତା ବ୍ରାହ୍ମଣୀନଦୀରେ ସ୍ନାନ, ସ୍ୱଚ୍ଛ ପୋଷାକ ପରିଧାନ କରି ବଡ଼ଆନନ୍ଦ ଉଲ୍ଲ୍‌ାସରେ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ବିଭିନ୍ନ ମନମୋହିତ ଡ଼ଙ୍ଗାରେ ଫୁଲ, ଧୂପ, ଦୀପ, ସିନ୍ଦୁର, ଅରୁଆ ଚାଉଳ, ଖୁଚୁରା ପଇସା ଇତ୍ୟାଦି ଡ଼ଙ୍ଗାରେ ଥୋଇ ଭସାଉଥିବା ଦୃଶ୍ୟ ପରିଲକ୍ଷିତ ହୋଇଥିଲା । ପ୍ରାୟ ବୈଜ୍ୟେଷ୍ଠ ବ୍ୟକ୍ତିମାନେ ପୂର୍ବ ପରମ୍ପରାକୁ ବଜାୟରଖି ଆ.କା.ମା.ଭୈ…..ପାନ ଗୁଆ ଥୋଇ, ପାନଗୁଆ ତୋର……ମାସକ ଧରମ ମୋର….. ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ତାଳେ ତାଳେ କହି ଡ଼ଙ୍ଗା ଭସାଇ ଅନ୍ତିମ ବିଦାୟ ଦେଉଥିଲେ । ଆମ ଓଡ଼ଆ ସଂସ୍କୃତିର ପୂର୍ବପୁରୁଷମାନେ ବିଦେଶକୁ ବେପାର ବାଣିଜ୍ୟ କରିବାକୁ ଯାଉଥିବା ସମୟରେ ଯେଉଁ ପ୍ରଥା ପ୍ରଚଳନ ହୋଇ ଆସୁଥିଲା, ଆଜି ତାକୁ ମନେ ପକାଇ ଡ଼ଙ୍ଗା ଭସାଇବାର ପରମ୍ପରା ଏକ ନିଆରା ଦୃଶ୍ୟ ବେଶ ସମସ୍ତକୁ ଆକର୍ଷିତ କରିଥିଲା । ପ୍ରାତଃ ସମୟରୁ ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ଭସାଇବାକୁ କେବଳ ଓଡ଼ିଆ କାହିଁକି ବିଭିନ୍ନ ସମ୍ପ୍ରଦାୟର ଭକ୍ତ ରୁଣ୍ଢ ହୋଇ ନାହିଁ ନଥିବା ଅସମ୍ଭାଳ ଭିଡ଼ ହୋଇଥିଲା । ଭକ୍ତମାନେ ଡ଼ଙ୍ଗା ଭସାଇବା ପରେ ଚିରୋସ୍ରୋତା ବ୍ରାହ୍ମଣୀନଦୀ କୂଳରେ ଥିବା ଜଗନ୍ନାଥ ମନ୍ଦିରରେ ମହାବାହୁଙ୍କ ନିକଟରୁ ଦର୍ଶନ ଆରମ୍ଭ କରି ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରିବାର ଲାଭ ଉଠାଇଥିଲେ ଓ ବଡ଼ଦାଣ୍ଡ ରାସ୍ତାଟି ଭକ୍ତମୟ ହୋଇପଡ଼ିଥିଲା । କିଛି ସାମାଜିକ ଅନୁଷ୍ଠାନ ପକ୍ଷରୁ ପବିତ୍ର କାର୍ତିକ ପୂର୍ଣ୍ଣିମା ଅବସରରେ ମିଷ୍ଠାନ୍ନ, ରାମଖେଚୁଡ଼ି, ଖିରି, ଚା’, ପାଣିବୋତଲ ଇତ୍ୟାଦି ଭକ୍ତଙ୍କୁ ବଂଟନ କରାଯାଇଥିଲା । ତେବେ ଆଜି ପବିତ୍ର ଦିନଟିରେ ତାଳଚେର ସହର ଠାରୁ ଗ୍ରାମାଚଂଳ ପର୍ଯ୍ୟନ୍ତ ପ୍ରତ୍ୟେକ ମନ୍ଦିର ଯଥା – ଧରମପୁର, କଙ୍କିଳି, ଶୈନାଳୀ, ସାତପାଟିଆ, କାକୁଡ଼ି, ହରିହରପୁର, ବିହାରୀପୁର, ଜଗନ୍ନାଥମନ୍ଦିର, ଆଖଣ୍ଡଳମଣି, ଦକ୍ଷିଣକାଳୀ, କେନ୍ଦୁଆଶୁଣୀ, ମା’ହିଙ୍ଗୁଳା, ମଙ୍ଗଳା, ରାଣୀମନ୍ଦିର, ରାମମନ୍ଦିର, ପଂଚମୁଖୀ, ବାବା ପଶ୍ୱିମେଶ୍ୱର, ଚିତ୍ରକୂଟ୍ଟ, ବାବା ଗଣେଶ, ସୁନାମୁଖୀ, ତାଳବେଡ଼ା, କଣ୍ଡାଳ, ଚକ୍ରଶୀଳା, ବହ୍ଲର, ବନ୍ତୋଲ, ଥର୍ମାଲ, ଡ଼େରା, ସାଉଥବଲଣ୍ଡା, ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଇତ୍ୟାଦି ଦେବାଦେବୀଙ୍କ ମନ୍ଦିର ସହ ବିଭିନ୍ନ ଶୈବପୀଠ ଗୁଡ଼ିକ ବେଶ ଚଳଚଂଚଳ ହୋଇପଡ଼ିଥିଲା । ତେବେ ଏଠି କାର୍ତିକମାସ ବ୍ରତଧାରୀ ମାନେ କୁହନ୍ତି କି, କାର୍ତିକମାସର ପଂଚୁକ ପାଂଚଦିନ ଅର୍ଥାତ୍ ପୂର୍ଣ୍ଣିମା ଦିନ ଡ଼ଙ୍ଗାଭସାଇ କାର୍ତିକମାସକୁ ବିଦାୟ ଦେଇ ବ୍ରତ ସମାପନ କରିଥାନ୍ତି, ଏହା ଦ୍ୱାରା ଆତ୍ମାକୁ ତୃପ୍ତି ମିଳିଥାଏ ଓ ପୂର୍ଣ୍ଣ୍ୟ ଅର୍ଜନ ମଧ୍ୟ ହୋଇଥାଏ ବୋଲି ଅଗାଢ଼ ବିଶ୍ୱାସ ରଖି ବୃଦ୍ଧାମାନେ କାର୍ତିକମାସରେ ବ୍ରତ ପାଳନ କରିଥାନ୍ତି ।

Related Articles

Back to top button