ଛାଡଖାଇ ଦିନ


***ଛାଡଖାଇ ଦିନ***
ପ୍ରଦୀପ୍ତ କୁମାର ଦାସ(କୁତୁରାନନ୍ଦ)
ବହୁ ଅଖାଦ୍ୟକୁ ଖାଦ୍ୟ ଭାବିକି ଖାଆନ୍ତି ଅନେକ ଲୋକ
କିଏ ମାଛ ମାଂସ ଅଣ୍ଡା ଖାଏତ କିଏ ଗୋଧି ସାପ ପୋକ,
କଇଁଛ କଙ୍କଡ଼ା ଅସରପା ବେଙ୍ଗ ଝିଟିପିଟି କିଏ ଖାଏ
ନର ରାକ୍ଷସର ପେଟ ପୂଜା ପାଇଁ କେତେ ଜୀବ ଲୋପ ପାଏ ,
ଶାକାହାରୀ କରି ଗଢ଼ିଛନ୍ତି ତାକୁ ସୃଷ୍ଟିକର୍ତ୍ତା ଭଗବାନ
ନମାନିକି ନର ପ୍ରଭୁଙ୍କର ଗିର ଜୀବ ମାରେ ପ୍ରତିଦିନ,
ଜୀବ ମାଂସ ଖାଇ ନରକ ପଥରେ ହୁଏ ସେତ ଅଗ୍ରସର
ବହୁ ଦୁରାରୋଗ୍ୟ ବ୍ୟାଧିରେ ତା ଦେହ ହୋଇଯାଏ ଭରପୁର,
ମାଂସାସି ପ୍ରାଣୀଙ୍କ ପରି ଜୀବ ମାରି ହିଂସ୍ର ପାଲଟଇ ସିଏ
ଶ୍ରେଷ୍ଠ ଜୀବର ଧରମକୁ ଭୁଲି ଜାଣି ଜାଣି ନଷ୍ଟ ହୁଏ,
ଶରୀର ଗଠନ ହୋଇଛି ତାହାର ସାତ୍ତ୍ଵିକ ଭୋଜନ ଲାଗି
ସେଶୁଦ୍ଧ ଭୋଜନ ଭଜନ ଭୁଲିକି ସାଜିଛି ପରମ ଭୋଗୀ,
ଆର୍ଯ୍ୟଋଷିଙ୍କ ବୀର୍ଯ୍ୟ ଧାରାରେ ଧରି ସିଏ ଶ୍ରେଷ୍ଠ ତନୁ
ଦେବଭାବ ଭରା ମାନବିକତାକୁ ପାଶୋରି ଦେଇଛି ମନୁ,
ଧରମକୁ ଆଖି ଠାର ମାରି ସିଏ କାର୍ତ୍ତିକେ ଆମିଷ ଛାଡ଼ି
ଛାଡ଼ଖାଇ ଦିନ ଆମିଷ ନିମନ୍ତେ ଦିଏ ଭଇରବ ରଡ଼ି,
ମଣିଷ ମନରୁ ଅସୁର ସ୍ଵଭାବ ନିଅ ପ୍ରଭୁ ତମେ ହରି
ପ୍ରତିଟି ଅନ୍ତରେ “ଜୀବେ ଦୟା” ଭାବ ଦୟାକରି ଦିଅ ଭରି।
*** *** ***
କଣ୍ଟାବଣିଆ, ଛତ୍ରପଡ଼ା, ପ୍ରୀତିପୁର,ଯାଜପୁର, ଓଡ଼ିଶା
ପିନ୍ -୭୫୫୦୧୩




