Breaking News

ବଇକୁଣ୍ଠ ଏକାଦଶୀ

– ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ –

ହରି-ହରଙ୍କର ମିଳନ ଦିବସ

ବଇକୁଣ୍ଠ ଏକାଦଶୀ –

ଏହି ପୁଣ୍ୟଦିନ ଭକତଙ୍କ ମନ

ଆକାଶରେ ଶୁଭ ଶଶୀ।

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ ଏହି 

ଏକାଦଶୀ ପଡିଥାଏ –

ବିଷ୍ଣୁଙ୍କ ସହିତ ପୂଜି ଶଙ୍କରଙ୍କୁ

ଭକ୍ତଜନ ମୁକ୍ତି ପାଏ।

ବୈକୁଣ୍ଠ ବିହାରୀ ବିଷ୍ଣୁଙ୍କୁ ଯେ ଭକ୍ତ

ଏହିଦିନ ପୂଜିଥାନ୍ତି –

ପୁଣ୍ୟ ଲାଭକରି ମୃତ୍ୟୁପରେ ସେତ 

ବୈକୁଣ୍ଠପୁରକୁ ଯାନ୍ତି।

ରାତ୍ରକାଳେ ପଦ୍ମଫୁଲ ଦେଇ ପ୍ରଭୁ

ବିଷ୍ଣୁଙ୍କୁ ତ ପୂଜା ଯାଏ –

ତା ପରଦିନ ଯେ ପ୍ରଭୁ ଶଙ୍କରଙ୍କୁ

ଆରାଧନା କରାଯାଏ।

ଏହିଦିନ ବିଷ୍ଣୁ ଶତଶହ ପଦ୍ମେ 

ଶଙ୍କର ପୂଜିବା ପାଇଁ –

କାଶୀ ସ୍ଥିତ ମଣିକାଞ୍ଚନ ଘାଟକୁ 

ନିଜେ ଯାଇଥିଲେ ଧାଇଁ।

ଅଭିଷେକ ସାରି ଅର୍ଘ୍ୟ ଦେବା କାଳେ

ଏକ ପଦ୍ମ ଊଣା ହେଲା –

ପଦ୍ମଲୋଚନକୁ ଏହି ଅଘଟଣ

ଦାରୁଣ ଆଘାତ ଦେଲା।

ସଂଗେ ସଂଗେ ନିଜ ଲୋଚନରୁ ଏକ

ଦେବାକୁ ଉଦ୍ୟତ ହେଲେ –

ଏହି ସମୟରେ ପ୍ରଭୁ ସଦାଶିବ

ଉଭା ହୋଇ ବାଧା ଦେଲେ।

ପ୍ରସନ୍ନ ହୋଇଣ ବୈକୁଣ୍ଠପତିଙ୍କୁ

ଶ୍ରେଷ୍ଠଭକ୍ତ କହିଦେଲେ –

ବିଷ୍ଣୁ ଭକତଙ୍କୁ ବଇକୁଣ୍ଠେ ସ୍ଥାନ

ଦେବାକୁ ଗୁହାରୀ କଲେ।

ତାପରେ ଖୁସିରେ ସୁଦର୍ଶନଚକ୍ର

ବିଷ୍ଣୁଙ୍କୁ ପ୍ରଦାନ କଲେ –

ସକଳ ସୃଷ୍ଟିର ଭାର ସମରପି 

ସୁତଳଲୋକକୁ ଗଲେ।

ବଇକୁଣ୍ଠ ଏକାଦଶୀର ମହିମା

ଅତି ପୁଣ୍ୟମୟ କଥା –

ଆସ ଆମେ ସର୍ବେ ପାଳିବା ଏ ବ୍ରତ

ନୁଆଁଇ ଭକ୍ତିରେ ମଥା।

       ***

କଣ୍ଟାବଣିଆ,ଯାଜପୁର

Related Articles

Back to top button