Breaking News

କାର୍ତ୍ତିକ ମାସରେ ବଡ଼ଓଷା

କାର୍ତ୍ତିକ ମାସରେ ବଡ଼ଓଷା

– ପ୍ରଦୀପ୍ତ କୁମାର ଦାସ –

କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ 

ଦିନ ବଡ଼ଓଷା ପଡ଼େ –

ଧବଳେଶ୍ୱରଙ୍କ ଦିବ୍ୟରୂପ ଦେଖି

ଭକତିରେ ଲୁହ ଗଡେ।

ଶହେଆଠ ଗରା ପାଣିରେ ଗାଧୋଇ

ଥାଆନ୍ତି ସେଦିନ ପ୍ରଭୁ –

ମଙ୍ଗଳ ଆଳତୀ ମଇଲମ ଆଦି

ଉପଚାର ହୁଏ ସବୁ।

ତରଣ ସହିତ ଗଜା ମଣ୍ଡାପିଠା 

ଭୋଗ ରୂପେ ଲଗାଯାଏ –

ଅରୁଆ ଚାଉଳେ ନଡ଼ିଆ ଗୁଡ଼ରେ

ଏହି ପିଠା ହୋଇଥାଏ।

ବ୍ରହ୍ମାଙ୍କ ଶାପରୁ ମୁକ୍ତି ପାଇବାକୁ

ନିଜେ ପ୍ରଭୁ ଦେବରାଜ –

ଧବଳେଶ୍ୱରଙ୍କ ପାଶେ ବଡ଼ଓଷା

ବ୍ରତ ପାଳିଥିଲେ ଆଜ।

ରାସପୁନେଇଁରେ ବୁଡ଼ ପକାଇଣ

ହୋଇଥିଲେ ଶାପମୁକ୍ତ –

ସେହିଦିନୁ ସେଠି ପ୍ରଭୁଙ୍କ ସାଥିରେ

ଭକତ ଯେ ଯୋଗଯୁକ୍ତ।

ଧବଳେଶ୍ୱରଙ୍କୁ ସନ୍ତୁଷ୍ଟ କରିଣ 

ଉତ୍କଳର କ୍ରତୁ ରାଜା –

କୁଷ୍ଟରୋଗୁ ମୁକ୍ତ ହୋଇଣ ଖୁସିରେ

ବଜାଇଣ ଥିଲେ ବାଜା।

ଧବଳେଶ୍ଵରଙ୍କ ମହିମା ଅପାର

ନାହିଁ ପଟାନ୍ତର ଯା’ର –

କାର୍ତ୍ତିକମାସର ବଡ଼ଓଷା ଜାଣ

ଅଟେ ଓଷା ମଧ୍ୟେ ସାର।

        ***

କଣ୍ଟାବଣିଆ,ଯାଜପୁର

 

Related Articles

Back to top button