Breaking News

କ୍ରାନ୍ତିକାରୀ କବିତାର କାଳଜୟୀ ସ୍ରଷ୍ଟା : 

              – ବସନ୍ତ ମୁଦୁଲି –

    – ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ –

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଯୁବକବି ମାନଙ୍କ ମଧ୍ୟରୁ କବି ବସନ୍ତ ମୁଦୁଲି ଅନ୍ୟତମ। ତାଙ୍କ ଶବ୍ଦମୟ ହୁଁକାର ସୁଦୂରପ୍ରସାରୀ ଥିଲା।ସେ ଥିଲେ ପ୍ରଚଣ୍ଡ ପ୍ରତିଭାର ପରିଚାୟକ ଏବଂ ଏକାଧାରରେ ଜଣେ ବିପ୍ଳବୀ କବି,ନୀତିନିଷ୍ଠ ଆଦର୍ଶ ଶିକ୍ଷକ, ଲୋକପ୍ରିୟ ମେଲୋଡ଼ି ଉପସ୍ଥାପକ, ସ୍ଵନାମଧନ୍ୟ ଡୁଏଟ୍ ଅଭିନେତା ସର୍ବୋପରି ସେ ଥିଲେ ଜଣେ ଦେବୋପମ ବ୍ୟକ୍ତିତ୍ଵଧାରୀ ଦରଦୀ ମଣିଷ। ପ୍ରତିଟି ମଣିଷର ମନତଳର ବେଦନାକୁ ସେ ଅତି ସହୃଦୟତାର ସହ ଅନୁଭବି ପାରୁଥିଲେ।

ଦୁଃଖର ମହଣ ମହଣ ବୋଝକୁ ମଥାରେ ରଖି ମଧ୍ୟ ସେ ପ୍ରାଣଖୋଲା ହସ ହସି ପାରୁଥିଲେ।ମଣିଷକୁ ଆପଣାର କରି ସୈତାନ ମାନଙ୍କୁ ଦୃଢ଼ତାର ସହ ଶବ୍ଦାସ୍ତ୍ର ଆଘାତରେ ନିଃଶେଷ କରିବାକୁ ସେ ସବୁ ସମୟରେ ଚେଷ୍ଟିତ ଥିଲେ।ସବୁବେଳେ ନୀତି, ଆଦର୍ଶ ତଥା ଚରିତ୍ରବତ୍ତାକୁ ସେ ସମ୍ମାନର ସହ ଗ୍ରହଣ କରି ମହନୀୟ ସଂସ୍କୃତିକୁ ଅଧିକରୁ ଅଧିକ ସମୃଦ୍ଧ କରିବା ପାଇଁ ଆହ୍ବାନ ଦେଉଥିଲେ।

              ପିତା ବାଉରୀବନ୍ଧୁ ମୁଦୁଲି ଏବଂ ମାତା ସତ୍ୟଭାମା ଦେବୀଙ୍କ କୋଳକୁ ପୂର୍ଣ୍ଣ କରି ୧୯୫୫ ମସିହା ନଭେମ୍ବର ୨ ତାରିଖ ଦିନ ଭଦ୍ରକ ଜିଲ୍ଲାର ଅରଣ୍ଡୁଆ ଗ୍ରାମରେ ଜନ୍ମ ହୋଇଥିଲେ କବି ବସନ୍ତ ମୁଦୁଲି।ତାଙ୍କ ସମଗ୍ର ଜୀବନ ଥିଲା ଦୁଃଖ ଯନ୍ତ୍ରଣାର ଏକ ସଂଘର୍ଷମୟ ଅଶ୍ରୁଳ ନାଟକ।ଜୀବନ ତମାମ ସେ ଅହରହ ସଂଗ୍ରାମ କରିଥିଲେ।ସବୁ ପ୍ରତିକୂଳ ପରିସ୍ଥିତିର ସେ ଦୃଢ଼ ମୁକାବିଲା କରିଥିଲେ।ପରିବାରକୁ ପରିପୂର୍ଣ୍ଣ କରିବା ପାଇଁ ଉଚ୍ଚଶିକ୍ଷା ଲାଭ କରିଥିଲେ ମଧ୍ୟ ସେ ଟିଉସନ୍ କରିଥିଲେ। ମେଲୋଡ଼ି ଘୋଷକ ଭାବରେ ଯୋଗଦେଇଥିଲେ। ମୁହଁରେ ରଙ୍ଗବୋଳି ସଫଳତାର ସହ ଡୁଏଟ୍ ଅଭିନେତା ଭାବେ ବିଶେଷ ନାଁ କରିଥିଲେ।ତଥାପି ତାଙ୍କର ଆଶା ପୂରଣ ହେଲାନି। ସ୍ୱଳ୍ପ ପାରିଶ୍ରମିକତାକୁ ପାଥେୟ କରି ସେ ବେଶିଦିନ ଆଉ କଳାର ମୋହରେ ବାନ୍ଧିହୋଇ ରହିପାରିଲେ ନାହିଁ। ତା’ପରେ ସେ ଶିକ୍ଷକତାକୁ ଜୀବିକା ଭାବେ ଗ୍ରହଣ କରି ଅଗ୍ରସର ହେଲେ ସ୍ଵକୀୟ ପ୍ରତ୍ୟୟର ପୁଣ୍ୟମୟ କର୍ମପଥରେ।ଏହି ସମୟରେ ତାଙ୍କ ଆତ୍ମସତ୍ତାକୁ ସ୍ପର୍ଶକଲା ସୃଜନ ବୀଣାର ଅନୁପମ ମୂର୍ଚ୍ଛନା।ସେଇ ମୂର୍ଚ୍ଛନା ତାଙ୍କୁ ମନ୍ତ୍ରମୁଗ୍ଧ କଲା।ତା’ପରେ ସେ ସମଗ୍ର ଚିନ୍ତା ଚେତନାକୁ ଏକତ୍ରିତ କରି ନିଜକୁ ସୃଜନକର୍ମରେ ନିୟୋଜିତ କଲେ, ଛାଁକୁ ଛାଁ ତାଙ୍କ ଭିତରେ ଚେଇଁ ଉଠିଲା ସୁପ୍ତ କବିତ୍ୱର ପ୍ରଚଣ୍ଡ ପ୍ରତିଭାଟି।ଲେଲିହାନ୍ ଅଗ୍ନିଶିଖା ସମ ସେ ବ୍ୟକ୍ତିସତ୍ତାର ବଳୟରୁ

ବାହାରି ଆସିଲେ ବ୍ୟଷ୍ଟିସତ୍ତାର ପରିବ୍ୟାପ୍ତ ପରିସରକୁ।ନିଜସ୍ଵ ଦୁଃଖ, ଯନ୍ତ୍ରଣା,ପ୍ରୀତି,ପ୍ରଣୟ,ଲୁହ,କୋହ,ଅଭିମାନ,ଅଭିଯୋଗ ଆଉ ଅବସୋସକୁ ଫେଣ୍ଟାଫେଣ୍ଟି କରି କବି ବସନ୍ତ ଆଙ୍କି ଚାଲିଲେ ଗୋଟେ ପରେ ଗୋଟେ କାଳଜୟୀ କବିତାର ଚିତ୍ର।ତାଙ୍କ ଭିତରର ସ୍ୱାଭିମାନ, ସ୍ପଷ୍ଟୋକ୍ତି ତଥା ସତ୍ୟମୟ ଦାମ୍ଭିକତା ଗୋଟେ ଗୋଟେ ପ୍ରଭାବଶାଳୀ କବିତାରେ ପରିଣତ ହେଲା।ତାଙ୍କ କବିତାର ଦିବ୍ୟାୟିତ ଜ୍ୟୋତି ଆକୃଷ୍ଟ କଲା ଅଗଣିତ ପାଠକ ମାନଙ୍କୁ, ବୁଦ୍ଧିଜୀବୀ ମାନଙ୍କୁ, ପ୍ରତିଷ୍ଠିତ ତଥା ନୂତନ ସାରସ୍ଵତ ସ୍ରଷ୍ଟା ମାନଙ୍କୁ।ମାତ୍ର ୬ ବର୍ଷର ସାରସ୍ଵତ ସାଧନା ମଧ୍ୟରେ ସେ ସାହିତ୍ୟ ଜଗତ ପାଇଁ ସୃଷ୍ଟିକରି ଯାଇଛନ୍ତି ୪୩୭ ଟି ଓଡ଼ିଆ କବିତା,୧୬ ଇଂରାଜୀ କବିତା,୧୫ ହିନ୍ଦୀ କବିତା,୫ ଟି ଓଡ଼ିଆ ପ୍ରବନ୍ଧ ତଥା ୩ ଟି ଓଡ଼ିଆ କ୍ଷୁଦ୍ରଗଳ୍ପ। ବସନ୍ତଙ୍କ ସମଗ୍ର ସୃଷ୍ଟି ସମ୍ଭାରରେ ” ବୈକୁଣ୍ଠ ସମାନ ଆହା…’ ଅନୁପମ ସ୍ୱର ନିନାଦିତ ହୁଏ,ବିପ୍ଳବର ପୁଞ୍ଜିଭୂତ ପ୍ରତିବାଦ ମୁକୁଳି ଆସେ, ଚାହୁଁ ଚାହୁଁ ହୃଦୟର ଉପବନରେ ଫୁଟିଯାଏ ପେନ୍ଥା ପେନ୍ଥା ପ୍ରୀତିମୟତାର ସୁରଭିତ ପୁଷ୍ପରାଜି।”ଅପେକ୍ଷା କର : ମୁଁ ଆସୁଛି ‘ କହି ସେ ଚାଲିଗଲେ ଅତି ଅପ୍ରତ୍ୟାଶିତ ଭାବରେ ଜୁନ୍ ପନ୍ଦରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ।କିନ୍ତୁ ତାଙ୍କ ପ୍ରତିଭାର ଅଲିଭା ପ୍ରଦୀପକୁ ମୃତ୍ୟୁର ଝଞ୍ଜା ନିର୍ବାପିତ କରିପାରି ନାହିଁ।ତାଙ୍କ ଜୀବନ ପ୍ରଦୀପ ସିନା ନିର୍ବାପିତ ହୋଇଯାଇଛି,ହେଲେ ତାଙ୍କ ଜୀବନ ପ୍ରଦୀପରୁ ଆତ୍ମପ୍ରକାଶ କରିଥିବା ଶବ୍ଦମୟ ଇସ୍ତାହାର ସବୁ ଅନନ୍ତକାଳ ଯାଏଁ ଜୀବନ୍ମୟ ହୋଇ ବର୍ତ୍ତମାନର ଯୁବପିଢିକୁ ଦିଗ୍ ଦର୍ଶନ ଦେଉଥିବ। ଯୁବକବି ବସନ୍ତ ମୁଦୁଲି ମଣିଷ ସଭ୍ୟତାର ଶେଷ ଯବନିକାପାତ ଯାଏଁ କ୍ରାନ୍ତିକାରୀ କବିତାର କୀର୍ତ୍ତିମାନ ଶବ୍ଦଶିଳ୍ପୀ ହୋଇ କୋଟି ପ୍ରାଣକୁ ଆଲୋକିତ କରୁଥିବେ।କେବଳ ଜଣେ କ୍ରାନ୍ତିକାରୀ କବି ନୁହଁନ୍ତି ସେ ଥିଲେ ଆଦର୍ଶ ଛାତ୍ର,ଆଦର୍ଶ ବନ୍ଧୁ,ଆଦର୍ଶ ପ୍ରେମିକ,ଆଦର୍ଶ ସ୍ବାମୀ,ଆଦର୍ଶ ଶିକ୍ଷକ ଏବଂ ସର୍ବୋପରି ଜଣେ ଆଦର୍ଶ ପିତା। ଜୀବନର ପ୍ରତିଟି ପର୍ଯ୍ୟାୟରେ ସେ ଆଦର୍ଶକୁ ଆଦରି ନେଇଥିଲେ।ତାଙ୍କର ଭାବ,ଭାଷା,ଚିନ୍ତା,ଚେତନା ସବୁଥିରେ ଥିଲା ଆଦର୍ଶର ଚମତ୍କାର ସୁସମନ୍ୱୟ; ଯେଉଁ ସୁସମନ୍ଵୟର ସୁରଭି ତାଙ୍କ ପ୍ରଚଣ୍ଡ ବ୍ୟକ୍ତିତ୍ୱକୁ ପରିବ୍ୟାପ୍ତ କରିପାରିଛି।ସେ ନିଜର ପରିଚୟ ଦେବାକୁ ଯାଇ ଘୋଷଣା କରିଛନ୍ତି – ” ଶବ୍ଦର ସାମ୍ରାଜ୍ୟରେ ମୁଁ ଝଲକାଏ ଅଗ୍ନି,ପ୍ରତିଟି ଅସହାୟ ଈଶ୍ୱରଙ୍କ ଛାତି ଉପରେ ମୁଁ ପ୍ରେମାସ୍ପଦ ଶ୍ରୀବତ୍ସ ଦାସ, ପ୍ରେମର ସମ୍ରାଟ ” । ନିଜକୁ ଏପରି ବେପରୱା ଢ଼ଙ୍ଗରେ ପରିଚିତ କରାଇବାର ସ୍ପର୍ଦ୍ଧା ଥାଏ କେବଳ ଜଣେ ସଚ୍ଚା କବିର।ସେଇ ସଚ୍ଚା କବି ଜଣକ ହେଉଛନ୍ତି ବସନ୍ତ ମୁଦୁଲି।ହାତରେ କଲମ ଧରି ସେ ସବୁ ଅସମ୍ଭବକୁ ସମ୍ଭବ କରିବାକୁ ମନରେ ଆଶା ପୋଷଣ କରି ଗାଇ ଉଠୁଥିଲେ –

” କେଉଁ ଦୂର ବନାନୀର ଶୁଷ୍କ ଡାଳରେ କ୍ରନ୍ଦନରତା ଏକ୍ଲା କପୋତର ଦୁଃଖରେ ମୁଁ ଚରିଯିବି ସମଗ୍ର ପୃଥିବୀକୁ ମୋ କଲମରେ।” କଲମରେ ସମଗ୍ର ପୃଥବୀକୁ

ଚରିବାକୁ ଆଁ ମେଲି ଦେଇଥିବା କବି ପୁଣି ଆପଣା ଛାଏଁ ମୃତ୍ୟୁ ପରେ ପୁନର୍ବାର ଆମାନବୀୟ ପ୍ରକୃତିର ବିନାଶ ପାଇଁ ଧରାବତରଣ କରିବାର ସ୍ବପ୍ନ ଦେଖୁଥିଲେ – ” ଅପେକ୍ଷା କର, ଦିନେ ହଠାତ୍ ବିଗୁଲ୍ ବଜାଇ,ମୁଁ ବାହାରି ଆସିବି ପ୍ରଚ୍ଛଦପଟକୁ,

ଅପେକ୍ଷା କର ଭାଇମାନେ, ହଠାତ୍ ଦିନେ ତମମାନଙ୍କୁ ଚମକାଇ ଦେଇ,ମୁଁ ଭାସି ଆସିବି କଳାରକ୍ତର ସ୍ରୋତରେ, ପେଟ ଭୋକିଲା – ପିଠି ଲଙ୍ଗଳା କରି ଅପେକ୍ଷା କର ବାପା। ମୁଁ ଫେରିଛି ରକ୍ତନଦୀର ସ୍ରୋତ ଯେତେ ପ୍ରଖର ହେଉନା କାହିଁକି,ମୁଁ ତମକୁ ପହଞ୍ଚାଇ ଦେବି ଠିକଣା ସ୍ଥାନରେ,ଏକ ସୁନ୍ଦର ପୃଥିବୀର ମରୁଦ୍ୟାନରେ।”

             ମାଟିରେ ପ୍ରେମ ଅଜାଡ଼ି ଦେଇ ଛାତିରେ ଗୁଳି କୁଢ଼େଇ ନେବାକୁ ଆହ୍ବାନ ଦେଇଥିବା କବି ବସନ୍ତ ମୁଦୁଲି ଉତ୍କଳ ସାରସ୍ଵତ ଗଗନରେ ଉଜ୍ଜ୍ବଳତମ ଭାସ୍କର ସଦୃଶ।ସେ କେବଳ ଭଦ୍ରକବସୀଙ୍କ ପାଇଁ ନୁହେଁ,ସମଗ୍ର ଉତ୍କଳବାସୀଙ୍କ ପାଇଁ ଗର୍ବ ଗୌରବର ଅମର ସ୍ୱାକ୍ଷର।ସେ ସବୁ ଦୃଶ୍ୟକୁ ନେଇ ଆଙ୍କିଛନ୍ତି କବିତାର କମନୀୟ ଚିତ୍ର।ତାଙ୍କ ପ୍ରଚଣ୍ଡ ପ୍ରତିଭା ଜ୍ୟୋତିରେ ସେ ସବୁ ଶ୍ରେଣୀର ମଣିଷ ମାନଙ୍କୁ ଦିବ୍ୟାୟିତ କରିପାରିଛନ୍ତି। ଯଥାର୍ଥରେ କହିବାକୁ ଗଲେ ସେ ହେଉଛନ୍ତି ଚୀରବିଜୟୀ । ଜୀବନ ସଂଗ୍ରାମରେ ସେ କେବେ ହେଲେ ପରାଜୟ ବରଣ କରି ନାହାଁନ୍ତି। ଶବ୍ଦ ସମ୍ରାଟ ସାଜି ସେ ଉତ୍କଳର ସାରସ୍ଵତ ସାମ୍ରାଜ୍ୟକୁ ତାଙ୍କ ସୀମିତ ଶାସନ କାଳ ମଧ୍ୟରେ ଖୁବ୍ ଆତ୍ମୀୟତାର ସହ ଶାସନ କରିଯାଇଛନ୍ତି। ଯେତେଦିନ ଯାଏଁ ପୁଣ୍ୟ ଉତ୍କଳରେ ସାହିତ୍ୟର ନିରାଜନା ହେଉଥିବ,ସୃଜନ ସରୋବରରେ କବିତାର କୁମୁଦ ଫୁଟୁଥିବ,ସେତେଦିନ ଯାଏଁ ମନେ ପଡୁଥିବେ କ୍ରାନ୍ତିକାରୀ କବିତାର କାଳଜୟୀ ସ୍ରଷ୍ଟା ଯୁବକବି ବସନ୍ତ ମୁଦୁଲି।

          *** *** ***

କଣ୍ଟାବଣିଆ, ଛତ୍ରପଡ଼ା,ପ୍ରୀତିପୁର, ଯାଜପୁର,ମୋ – ୭୨୦୫୯୮୨୪୮୫

Related Articles

Back to top button