ପଲସାପଡ଼ା ରେ ସଡକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର


ନୂଆପଡା ସିନାପାଲି ବ୍ଲକ ପଲସାପଡ଼ା ନିକଟରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଥିବା ଲୋକମାନଙ୍କ ସହଯୋଗରେ ଅଗ୍ନିସମ ବିଭାଗ ପହଞ୍ଚି ଆହତକୁ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇ ଚିକିତ୍ସା ଚାଲିଛି ।ସୂଚନା ଅନୁଯାୟୀ, ମୃତକଙ୍କ ପରିଚୟ ସିନାପାଲି ବ୍ଲକ ଅନ୍ତର୍ଗତ ସିନ୍ଦୂରସିଲ ଗ୍ରାମର ଜୟସିଂହ ନାଗ ବୋଲି ଜଣାପଡ଼ିଛି । ସେ ବଜାଜ୍ ପଲ୍ସର୍ (ଗାଡ଼ି ନମ୍ବର CG 23 L 8293) ରେ ସିନାପାଲି ରୁ ସିନ୍ଦୂରସିଲ ଯାଉଥିବା ସମୟରେ ସାମ୍ନା ପଟୁ କେନ୍ଦୁମୁଣ୍ଡା ଗ୍ରାମର ପିଣ୍ଟୁ ଲୋହାର ଚଳାଇଥିବା ବାଇକ୍ (ଗାଡ଼ି ନମ୍ବର OR 24 0370) ସହ ଭୟଙ୍କର ଧକ୍କା ହୋଇଥିଲା । ଧକ୍କା ଏତେ ଜୋର ଥିଲା ଯେ ଜୟସିଂହ ନାଗ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଘଟଣାସ୍ଥଳକୁ ସିନାପାଲି ଥାନା ପୁଲିସ୍ ପହଞ୍ଚି ମୃତଦେହକୁ ଠାବ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଗୁରୁତର ଆହତ ପିଣ୍ଟୁ ଲୋହାରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଗକୁ ବିଶେଷ ଚିକିତ୍ସା ପାଇଁ ରେଫର କରାଯାଇପାରେ ବୋଲି ସୂତ୍ରରୁ ଜଣାପଡିଛି । ଏହି ଦୁର୍ଘଟଣାରୁ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ




