Breaking News

ମନ୍ଥର ଗତିରେ ଚାଲିଛି ମଲିକୁଦର ଚିଞ୍ଚେଡ଼ ସେତୁ କାର୍ଯ୍ୟ ଅଞ୍ଚଳବାସୀ ଅସନ୍ତୋଷ

ଘଣ୍ଟାପଡା, ୩୦।୧୦: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ମନମୁଣ୍ଡା-ସିନ୍ଧୁଗୋରା ୪୧ ନଂବର ରାଜ୍ୟ ରାଜପଥର ମଲିକୁଦ ସ୍ଥିତ ଚିଞ୍ଚେଡ଼ ନାଳ ଉପରେ ନିର୍ମାଣଧିନ ସେତୁ ଅହେତୁକ ବିଳମ୍ବ ହେତୁ ରାସ୍ତା ଉପରେ ନିର୍ଭରଶୀଳ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ୭ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଉକ୍ତ ସେତୁର କାମ ୨୦୨୩ ମସିହା ଅକ୍ଟୋବର ମାସରେ ଆରମ୍ଭ ହୋଇଥିବା ବେଳେ ନିର୍ମାଣର ଅବଧି ମଧ୍ୟ ସରି ଯାଇଛି l କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଅନେକ କାମ ବାକି ରହିଛି l ଶ୍ୟାମଜୀ କନଷ୍ଟ୍ରକ୍ସନ ଦ୍ୱାରା ଉକ୍ତ କାମ ହେଉଥିବା ବେଳେ ଠିକା ସଂସ୍ଥାର ମନମୁଖୀ କାର୍ଯ୍ୟ ଏବଂ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ସେତୁ ନିର୍ମାଣ କାମର ଅଗ୍ରଗତି ହୋଇ ପାରୁନାହିଁ l ମାତ୍ର ଗୋଟିଏ ଛାତ ପଡ଼ିଥିବା ବେଳେ ଆହୁରି ୪ଟି ଛାତ ଓ ସଂଯୋଗ ରାସ୍ତା ବାକି ରହିଛି l ଫଳରେ ରାସ୍ତା ଉପରେ ନିର୍ଭର କରୁଥିବା ଘଣ୍ଟାପଡା, ଆମ୍ବଗାଁ, ଖୁଣ୍ଟିଗୋରା, ଉମା, ଖମନମୁଣ୍ଡା, କୁଲୁତାଜୋର, ବରଗାଁ ଓ ନାରାୟଣ ପ୍ରସାଦ ଆଦି ୮ ଗୋଟି ପଞ୍ଚାୟତର ପ୍ରାୟ ୪୦ ହଜାର ଲୋକ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି l ଡାଇଭରସନ ରାସ୍ତା ନିର୍ମାଣ ହୋଇ ନଥିବାରୁ ନାଳ ଭିତର ଦେଇ କେବଳ ସାଇକେଲ ଓ ବାଇକ ଯୋଗେ ବିପଦପୂର୍ଣ୍ଣ ଭାବେ ଲୋକେ ଯାତାୟତ କରୁଛନ୍ତି l ସାମାନ୍ୟ ବର୍ଷା ହେଲେ ଯାତାୟତ ଠପ ହୋଇଯାଉଛି l ଅନ୍ୟଥା ଉଦୟପୁର ବାଇପାସ ରାସ୍ତା ଦେଇ ଅଧିକ ୧୦ କି.ମି. ଦୂରତା ବୁଲିବାକୁ ପଡୁଛି l ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଶୀଘ୍ର ସେତୁ ନିର୍ମାଣ କାର୍ଯ୍ୟ ସାରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ଏସଡିଓ ଗୋବିନ୍ଦ ନାୟକଙ୍କୁ ପଚାରିବାରୁ ଠିକାଦାର ଶିଘ୍ର କାର୍ଯ୍ୟ ଆରମ୍ଭ କରିବେ ଏବଂ ଏହି ବର୍ଷ ହିଁ ସଂପୂର୍ଣ୍ଣ କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

Related Articles

Back to top button