ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ବିଶ୍ଵ ମିତବ୍ୟୟିତା ଦିବସ-୨୦୨୫ ପାଳିତ


ଢେଙ୍କାନାଳ: ତା.୩୦.୧୦.୨୦୨୫ରିଖ:( ) ଢେଙ୍କାନାଳ ଜିଲ୍ଳା ପ୍ରଶାସନ,ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୩୦ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହରେ ଅପରାହ୍ନ ୪ ଘଟିକା ସମୟରେ ବିଶ୍ଵ ମିତବ୍ୟୟିତା ଦିବସ -୨୦୨୫ ପାଳିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ସ୍ଵୀୟ ବକ୍ତବ୍ୟରେ ସୁରକ୍ଷିତ ସଞ୍ଚୟ,ଠକାମିରୁ ବଞ୍ଚିବାର ଏକମାତ୍ର ଉପାୟ ବୋଲି ମତବ୍ୟକ୍ତ କରିଥିଲେ। ଅସ୍ବାଭାବିକ ଭାବେ ଉଚ୍ଚ ସୁଧହାର ପ୍ରଦାନର ପ୍ରତିଶ୍ରୁତି ତଥା ଖୁବ୍ କମ୍ ଦିନରେ ମୂଳଜମା ଦୁଇଗୁଣ ହୋଇଯିବାର ପ୍ରଲୋଭନ ଠକାମିର ପ୍ରଥମ ଲକ୍ଷଣ ବୋଲି କହିଥିଲେ। କେବଳ ଡାକଘର ଓ ବ୍ୟାଙ୍କ୍ ଭଳି ପ୍ରତିଷ୍ଠିତ ତଥା ନିର୍ଭର ଯୋଗ୍ୟ ପ୍ରତିଷ୍ଠାନରେ ନିଜର କଷ୍ଟଲବ୍ଧ ଅର୍ଥ ସଞ୍ଚୟ କରିବା ନିରାପଦ ବୋଲି ସୁପରାମର୍ଶ ପ୍ରଦାନ କରିଥିଲେ।ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳ ସ୍ୱାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ବକ୍ତବ୍ୟର ସମସ୍ତ ଡାକଘର ଓ ବାଣିଜ୍ୟିକ ବ୍ୟାଙ୍କ୍ ମାନଙ୍କରେ ଉପଲବ୍ଧ ସ୍ୱଳ୍ପ ସଞ୍ଚୟ ଯୋଜନା ଗୁଡ଼ିକ ଅର୍ଥ ନିବେଶ ପାଇଁ ବେଶ୍ ସହଜ,ଅତ୍ୟନ୍ତ ସରଳ,ସମ୍ପୂର୍ଣ୍ଣ ସୁରକ୍ଷିତ ଓ ସର୍ବୋତ୍କୃଷ୍ଟ ଜମା ଯୋଜନା ଭାବରେ ପରିଗଣିତ ହେଉଛି ଏବଂ ଏଥିରେ କୌଣସି ଠକାମିର ସମ୍ଭାବନା ନାହିଁ ବୋଲି ଦୃଢ଼ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ସେ ମହାଶୟା ବିଭିନ୍ନ ସ୍ଲୋଗାନ୍ ” ମିତବ୍ୟୟୀ ହୋଇ ଧନ ସଞ୍ଚିବା,ନିଜ ଭବିଷ୍ୟତ ତଥା ଦେଶ ଗଢ଼ିବା ” ; ” ଅତି ଲୋଭ ଅଟେ ବିପଦ କାରଣ,ଲୋଭେ ପଡ଼ି ନକର ବିପଦ ବରଣ ” ; ” ଡାକଘର ଅବା ବାଣିଜ୍ୟିକ ବ୍ୟାଙ୍କ୍ ରେ କରନ୍ତୁ ନିବେଶ, ସ୍ୱଳ୍ପ ସଞ୍ଚୟ ଧାରଣାକୁ ଧ୍ୟାନ ଦିଅନ୍ତୁ ବିଶେଷ ” ଭଳି ଉଦାହରଣ ମାଧ୍ୟମରେ ନିଜର ମନଛୁଆଁ ସଚେତନତାଧର୍ମୀ ବକ୍ତବ୍ୟ ରଖିଥିଲେ।ଏହି ଅବସରରେ ଜିଲ୍ଲାର ବ୍ଲକ୍ ସ୍ତରରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନେ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ବିଚାରକ ଭାବରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସରୋଜକାନ୍ତ ଦାଶ,ପଣ୍ଡିତ ବିପିନ ବିହାରୀ ଶତପଥୀ ଓ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ପ୍ରତିଯୋଗୀ ମାନଙ୍କର ବକ୍ତୃତା ଉପସ୍ଥାପନା ସବୁକୁ ମୂଲ୍ୟାୟନ କରିଥିଲେ। ଏହି ପ୍ରତିଯୋଗିତାରେ ନିୟମିତ ସଂଚୟର ଆବଶ୍ୟକତା ଓ ଅନ୍ ଲାଇନ୍ ଠକେଇ ସମ୍ପର୍କିତ ସଚେତନତା ବିଷୟରେ ପ୍ରତିଯୋଗୀମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ବଡ଼ସୁଆଁଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରିୟବ୍ରତ ସେନାପତି,ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ହିନ୍ଦୋଳର ପ୍ରକୃତି ପ୍ରଜୁଷା ଓ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ସାହୁ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହି କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ପ୍ରଶଂସାପତ୍ର ଓ ପ୍ରଥମ ଦଶଜଣଙ୍କ ମଧ୍ୟରେ ସ୍ଥାନ ଅଧିକାର କରିଥିବା ସମସ୍ତ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ଵାରା ଅଂଶଗ୍ରହଣକାରୀ ପ୍ରଶଂସାପତ୍ର ପ୍ରଦାନ ପୂର୍ବକ ମଞ୍ଚାସିନ ଅତିଥିବୃନ୍ଦଙ୍କ ଦ୍ଵାରା ପର୍ଯ୍ୟାୟକ୍ରମେ ପୁରସ୍କୃତ କରାଯାଇ ଥିଲା।ସମସ୍ତ ବିଚାରକବୃନ୍ଦ ଉପସ୍ଥିତ ଥିବା ଛାତ୍ରୀ,ଛାତ୍ର,ଅଧ୍ୟାପିକା,ଅଧ୍ୟାପକ,ଶିକ୍ଷୟିତ୍ରୀ, ଶିକ୍ଷକ,ମାତା,ପିତା,ଅଭି ଭାବିକା,ଅଭିଭାବକ ବୃନ୍ଦଙ୍କୁ ଆଜିର ବିତର୍କର ବିଷୟବସ୍ତୁ ନିୟମିତ ସଂଚୟର ଆବଶ୍ୟକତା, ଉପଯୋଗିତା ଓ ଅନ୍ ଲାଇନ୍ ଠକେଇ ସମ୍ପର୍କିତ ସତର୍କତାମୂଳକ ସଚେତନତା ସମ୍ପର୍କରେ ସବିଶେଷ ତଥ୍ଯଭିତ୍ତିକ ବକ୍ତବ୍ୟ ଉପସ୍ଥାପନ କରି ସଚେତନତା ସୃଷ୍ଟି କରିଥିଲେ।ଢେଙ୍କାନାଳ ଜିଲ୍ଳା ଡାକଘର ପକ୍ଷରୁ ମୁଖ୍ୟ ପୋଷ୍ଟମାଷ୍ଟର ସତ୍ୟବାଦୀ ଦାଶଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ ଉପସ୍ଥିତ ରହି ସୌମ୍ୟରଞ୍ଜନ ପାଣି ଓ ଦୀପକ ଲେଙ୍କା ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ଡ଼ାକଘରେ ଉପଲବ୍ଧ ସମସ୍ତ ପ୍ରକାରର ଅର୍ଥଜମା ଓ ସୁଧ ଆୟ ସଂପର୍କରେ ଅବଗତ କରାଇ ବିଭିନ୍ନ ସଞ୍ଚୟର ଉପଯୋଗିତା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ଉପଆରକ୍ଷୀ ଅଧିକ୍ଷକ ସଂଧ୍ୟାରାଣୀ ବେଉରିଆ ସ୍ଵୀୟ ବକ୍ତବ୍ୟରେ ସଚେତନତା ହିଁ ସୁରକ୍ଷା ବୋଲି କହି ସମସ୍ତ ପ୍ରକାର ସାଇବର ଠକାମୀ ଓ ସେଥିରୁ ରକ୍ଷା ପାଇବା ପଇଁ ଅବଲମ୍ବନୀୟ ସାଇବର୍ ସୁରକ୍ଷା ବା ସାଇବର୍ ସିକ୍ୟୁରିଟି ପଦକ୍ଷେପଗୁଡ଼ିକ ସମ୍ପର୍କରେ ସବିଶେଷ ଧାରଣା ପ୍ରଦାନ କରିଥିଲେ।ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳଙ୍କ ସଫଳ ମାର୍ଗଦର୍ଶନ, ନେତୃତ୍ୱ ଓ ସଫଳ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଭିଲିପ୍ ସା ବିଶ୍ବାଳ,ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ,ସଦର ଏବଂ ସ୍ୱର୍ଣ୍ଣପ୍ରଭା ବିରୁଆଁ, ଉପଖଣ୍ଡ ସ୍ଵଳ୍ପ ସଞ୍ଚୟ ଅଧିକାରୀ କାମାକ୍ଷାନଗର,କନିଷ୍ଠ ରାଜସ୍ବ ସହାୟିକା ଅରୁନ୍ଧତୀ ବେହେରା,କାର୍ଯ୍ୟାଳୟ ସହକାରୀ ଦେବାଶିଷ ହୋତା ପ୍ରମୁଖ ସହଯୋଗ କରିଥିଲେ।ପରିଶେଷରେ ପ୍ରଜ୍ଞା ମିଶ୍ର,ସହ ନିର୍ଦ୍ଦେଶକ ସଞ୍ଚୟ ଓ ଆର୍ଥିକ ସେବା ବିଭାଗ,ଢେଙ୍କାନାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




