ସାବତ ପୁଅ ସାଜିଛି କୁନାଶିଲା-ମହିବିଲା ରାସ୍ତା । ମୃତ୍ୟୁର ଦୂତ ସାଜି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ଭଙ୍ଗା ରପଟା


କଣ୍ଟାମାଳ,୩୦।୧୦।୨୫ : ସାବତ ପୁଅ ଅର୍ଥାତ ବୈମାତୃକ ସାଜିଛି କୁନାଶିଲା-ମହିବିଲା ରାସ୍ତା । ଏହା ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୁନାଶିଲା ଠାରୁ ବରଗାଁ ପଞ୍ଚାୟତର ମହିବିଲାକୁ ସଂଯୋଗ କରୁଥିବା ରାସ୍ତା, ଦୁଇ କୂଳରେ ଗୋଡ଼ ଥାପିଛି ରାସ୍ତା । ଦୁଇ ପଞ୍ଚାୟତପାଇଁ ସୁନା ଅଣ୍ଡା ଦିଆ କୁଡୁଡା ସାଜିଛି l ବିଭାଗୀୟ ଅଧିକାରୀଙ୍କ ଠିକାଦାର ପୋଷଣ ନୀତିରେ ପ୍ରତିବର୍ଷ ମୁରୁମ(ଆଖିରେ ଧୂଳିଦେବା) କାମ କରାଯାଉଛି ।କିନ୍ତୁ ବର୍ଷା ଋତୁ ଆସିଲେ ଯଥା ପୂବଂ ତଥା ପରଂ ସଦୃଶ ରାସ୍ତାର ଅବସ୍ଥା l ରାସ୍ତାସାରା ଖାଲଖମା ହୋଇ ପାଣି ଜମି ରହେ l ଗାଡି ମଟର ଯିବା ତ ଦୂରର କଥା ଲୋକଙ୍କ ଯାତାୟତ କରିବା ବହୁ କଷ୍ଟକର ହୋଇ ପଡେ l ଏପରି ଅବସ୍ଥାରେ କଣ୍ଟାମାଳର ପୂର୍ବ ବିଡିଓ କଳାକୃଷ୍ଣ ପ୍ରଧାନ ମଧ୍ୟ ଗାଡିରେ ଆସି ନିଜେ ଗାଡ଼ି ଠେଲି ବାକୁ ପଡ଼ିଥିଲା। ଲୋକଙ୍କ କଥା ଛାଡ଼ ।କେହି ରୋଗରେ ପଡିଲେ ଆମ୍ବୁଲାନ୍ସ ଯାଇ ପାରେ ନାହିଁ l ରାସ୍ତାରେ ୨ଟି ମିନି କଲଭର୍ଟ ନିର୍ମାଣର ଆବଶ୍ୟକତା ରହିଥିବା ସେଥିପ୍ରତି ଆଦୌ ଧ୍ୟାନ ଦିଆଯାଉ ନାହିଁ l ରାସ୍ତାର ଗଦଗୁଭା ନିକଟରେ ରହିଥିବା ଏକ ଭଙ୍ଗା ଦଦରା ରପଟା ପ୍ରତି ଘଣ୍ଟାପଡା ପଞ୍ଚାୟତ କତ୍ତୃପକ୍ଷଙ୍କ ନଜର ପଡୁ ନାହିଁ l ରାସ୍ତା ଠାରୁ ୩ଫୁଟ ଭିତରେ ରପଟା ରହିଥିବା ବେଳେ ସମ୍ପୂର୍ଣ ନଷ୍ଟ ହୋଇସାରିଲାଣି l ସତେ ଯେମିତି ମୃତ୍ୟୁର ଦୂତ ସାଜି ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି l ବର୍ଷାଦିନେ ଯମପୁର ପାଲଟିଯାଏ ରାସ୍ତା ।ପଞ୍ଚାୟତ ସରପଞ୍ଚଙ୍କୁ କହିକହି ଥକି ଗଲୁନ, ଆମର କଥାକେ ଧିଆନ ନି ଦେବାର l କେଭେ ପୋଲ ହେବା ଯେ କିଏ ଜାନୁ ବୁଆ ! ବୋଲି କହନ୍ତି ଗ୍ରାମର ଜଣେ ବୟସ୍କ ବ୍ୟକ୍ତି l ଏହି ଉକ୍ତି ଶୁଣି ଲାଗୁଛି ଯେମିତି ଅଞ୍ଚଳବାସୀ କୌଣସି ପାପ କରିଛନ୍ତି ତେଣୁ ସେମାନେ ଅଭିଶପ୍ତ ଜୀବନ ବିତାଉଛନ୍ତି l ସତେ ଅବା ଏହାର ମାଆ ବାପା କେହି ନାହାନ୍ତି। ସାବତ ପୁଅ ହୋଇଯାଇଛି ରାସ୍ତା । ଏନେଇ ଘଣ୍ଟାପଡା ସରପଞ୍ଚଙ୍କୁ ଯୋଗାଯୋଗ କରିବାରୁ ଧାନ ଅମଳ ପରେ ପୋଲ ନିର୍ମାଣ କରାଯିବ ବୋଲି କହିଛନ୍ତି l ଏକ ସ୍ଥାୟୀ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ମଧ୍ୟ ସାଧାରଣରେ ଦାବି ହେଉଛି l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ସମାଚାର




