ନୂଆମାଳପଡ଼ାରୁ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବାଇକ ଜବତ


ସିନାପାଲି, (ପରମେଶ୍ୱର ମେହେର): ସିନାପାଲି ଥାନା ଅଧୀନ ଓଡିଶା-ଛତିଶଗଡ଼ ସୀମାଞ୍ଚଳର ନୂଆମାଲପଡା ଗ୍ରାମ ନିକଟ ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି । ଘଟଣା ସ୍ଥାନରୁ ଏକ ମୋଟରସାଇକେଲ ମଧ୍ୟ ପୋଲିସ ଜବତ କରିଛି । ମୃତକଙ୍କ ପରିଚୟ କସେଇପାଣି ଗ୍ରାମର ହେମଲାଲ ହଂସ (ବୟସ ୩୩) ଭାବେ ଜଣାପଡିଛି । ଜବତ ହୋଇଥିବା ବାଇକର ନମ୍ବର ଓଡି 04 DK 0616 ବୋଲି ପୋଲିସ ସୂଚନା ଦେଇଛି । ପ୍ରାପ୍ତ ଖବର ଅନୁସାରେ, ମଙ୍ଗଳବାର ଦିନ ସ୍ଥାନୀୟ ଲୋକେ ନୂଆମାଲପଡା ଓ ଛତିଶଗଡ଼ ମାର୍ଗରେ ରାସ୍ତା ଧାରରେ ବାଇକ ସହ ଏକ ଯୁବକ ତଳେ ପଡ଼ି ରହିଥିବା ଅବସ୍ଥାରେ ଦେଖିଥିଲେ । ସେମାନେ ଏ ବିଷୟରେ ସିନାପାଲି ପୋଲିସ ଙ୍କୁ ଜଣାଇବା ପରେ ପୋଲିସ ଟୀମ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ସିନାପାଲି ସମୁଦାୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ପରେ, ମୃତକଙ୍କ ପରିବାର ଲୋକଙ୍କୁ ସୂଚିତ କରାଯାଇଥିବା ବେଳେ, ସେମାନେ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ବିବରଣୀ ଦେଇଥିଲେ । ବ୍ୟବଛେଦ (ପୋଷ୍ଟମର୍ଟମ) ପରେ, ମୃତଦେହ ପରିବାରକୁ ହସ୍ତାନ୍ତର କରାଗଲା । ପରିବାର ପକ୍ଷରୁ ଜଣାପଡିଛି ଯେ, ମୃତକ ହେମଲାଲ ଗତ ଦୁଇ ଦିନ ତଳେ ଘରୁ ବାହାରିଯାଇଥିଲେ ଓ ସେ ମାନସିକ ଭାବେ ଅସ୍ଥିର ଥିବା ସୂଚନା ସେମାନେ ଦେଇଛନ୍ତି ।ଘଟଣା ସ୍ଥଳରେ ଏଏସଆଇ ପ୍ରଭାକର ନାଏକ ଓ ପୋଲିସ ଟୀମ୍ ଉପସ୍ଥିତ ଥିଲେ । ସିନାପାଲି ଥାନା ରେ ଏକ ମାମଲା ରୁଜୁ କରାଯାଇ ଘଟଣାର କାରଣ ସନ୍ଧାନ ପାଇଁ ତଦନ୍ତ ଚାଲିଛି ।




