Breaking News

ମଙ୍ଗଳା ପୀଠରେ ସରକାରୀ ଓ ବ୍ୟକ୍ତିଗତ ଜାଗା ଚିହ୍ନଟ କରି ପୀଠର ଉନ୍ନତି ଦାବୀ

ଦଶରଥପୁର, ୨୬/୧୦(ନି.ପ୍ର) ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଡାହାଣହତା ପଞ୍ଚାୟତସ୍ଥ କୁଆଁସର ପ୍ରସିଦ୍ଧ ମଙ୍ଗଳା ପୀଠରେ ଶହ ଶହ ବର୍ଷ ଧରି ମଙ୍ଗଳା ମନ୍ଦିରରେ ମା’ ମଙ୍ଗଳା ପୂଜା ପାଇ ଆସୁଛନ୍ତି। ଏହା ଏକ ଶକ୍ତିପୀଠ ଭାବେ ଜିଲ୍ଲାରେ ପରିଚିତ ଅଟେ।

ଜିଲ୍ଲା ଓ ଜିଲ୍ଲା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଏହି ପୀଠକୁ ଆସିଥାନ୍ତି। ମାଆଙ୍କ ପାଖରେ ଅଧିକାଂଶ ଶ୍ରଦ୍ଧାଳୁ ମାନସିକ କରି ନିଜର ମନସ୍କାମନା ପୂରଣ କରିଥାନ୍ତି।ଏହି ପୀଠରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅବଦାନ ଥିବା ଓଡ଼ିଶାର ବିଶିଷ୍ଟ ବରପୁତ୍ର ତଥା ଏହି ବ୍ଲକ୍ ର କଣ୍ଟାବଣିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଉତ୍କଳପ୍ରାଣ ବ୍ରଜସୁନ୍ଦର ଦାସଙ୍କ ନାମରେ ଏକ କଲ୍ୟାଣ ମଣ୍ଡଳ ରହିଛି।ଏଠାରେ ବିବାହ, ବ୍ରତ ଓ ସଭା ସମିତି ଅନୁଷ୍ଠିତ ହୋଇଥାଏ।

ପଣା ସଂକ୍ରାନ୍ତିରେ ମଙ୍ଗଳା ଯାତ୍ରା ଆରମ୍ଭ ହୋଇ ମାସାଧିକ କାଳ ଅନୁଷ୍ଠିତ ହୋଇଥାଏ। ମଙ୍ଗଳା ମହୋତ୍ସବ,ବିଶ୍ଵଶାନ୍ତି ମହାଯଜ୍ଞ, ମଙ୍ଗଳା ପୋଖରୀରେ ପାଟୁଆ ବୁଡ଼ା ହେବା,ଦୁଇ ମାସ ଧରି ବଣ ଭୋଜି ହେବା ଏବଂ ମାର୍କେଟ୍ କମ୍ପ୍ଲେକ୍ସ ଓ ଭୋଗ ଦୋକାନ ରହିଛି।

ଆଶ୍ୱିନ ମାସର ମଙ୍ଗଳବାର ମଙ୍ଗଳା ଓଷା ମଙ୍ଗଳା ଓଷାଧାରୀ କରିଥାନ୍ତି।ପ୍ରକାଶ ଯେ, ଏହି ପୀଠରେ କେତେ ସରକାରୀ ଜାଗା ରହିଛି ଓ କେତେକ ବ୍ୟକ୍ତିଙ୍କର ନିଜସ୍ଵ ଜାଗା ରହିଛି।ତାହା ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରି ନଥିବା ବେଳେ ସରକାରୀ ଜାଗା ଚିହ୍ନଟ ହୋଇ ନପାରିବାରୁ ପୀଠର କୌଣସି ଉନ୍ନତି ହୋଇ ପାରୁନାହିଁ। ଅନ୍ୟପକ୍ଷରେ ଯେଉଁମାନଙ୍କର ନିଜସ୍ଵ ଜାଗା ରହିଛି ସେମାନେ ମଙ୍ଗଳାଙ୍କୁ ଦାନ କରିବେ କି ନାହିଁ ଏବାବଦରେ କୌଣସି 

ଆଲୋଚନା କରାଯାଉନାହିଁ।ଏହି ପୀଠକୁ ଜିଲ୍ଲାର ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ବାରମ୍ବାର ଦାବୀ ହେଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ଅବହେଳାରୁ ଏହା ମାନ୍ୟତା

ପାଇପାରୁନି।ଯାହା ଫଳରେ ଶ୍ରଦ୍ଧାଳୁ ଓ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଏଣୁ ବି.ଡି.ଓ, ସରପଞ୍ଚ, ମଙ୍ଗଳା ଉନ୍ନୟନ କମିଟି ଓ ଯଜ୍ଞ କମିଟି ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏହି ପୀଠରେ ଥିବା ୮ ଏକରରୁ ଅଧିକ ଜାଗାକୁ ଚିହ୍ନଟ କରି ପୀଠର ଉନ୍ନତି କରିବା ଏବଂ ପୀଠକୁ ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା କିପରି ପାଇବ ସେବାବଦରେ ପଦକ୍ଷେପ ନେବାକୁ ଦାବୀ ହୋଇଛି।

Related Articles

Back to top button