ଅଁଳା ନବମୀର ତାତ୍ପର୍ଯ୍ୟ


*ପ୍ରଦୀପ୍ତ କୁମାର ଦାସ*
ଉତ୍କଳୀୟ ପର୍ବପର୍ବାଣୀ ଗୁଡ଼ିକ ଆମ ପରମ୍ପରା ଆଉ ସଂସ୍କୃତିର ଅମୂଲ୍ୟ ସନ୍ତକ ସଦୃଶ। ମହନୀୟତାର ମହକରେ ମହ ମହ ପ୍ରତ୍ୟେକଟି ପର୍ବପର୍ବାଣୀର ପରିବ୍ୟାପ୍ତ ପରିସର। ଧର୍ମମାସ କାର୍ତ୍ତିକର କୀର୍ତ୍ତିକୁ ଜନ ମାନସରେ ଉଦ୍ରେକ କରିଥାଏ ପବିତ୍ର ଅଁଳା ନବମୀ। ଯାହା କାର୍ତ୍ତିକ ବ୍ରତଧାରୀ ମାଆ ମାନଙ୍କର ପ୍ରିୟ ଓଷା। ଅଁଳା ନବମୀର ପାଳନ ସ୍ଥଳୀ ହେଉଛି ଅଁଳା ଗଛମୂଳ।ଭାରତୀୟ ମୁନି ୠଷିମାନେ ଅଁଳାକୁ ଦେବୀ ଭାବରେ ଜ୍ଞାନ କରି କହନ୍ତି – ” ନମାମ୍ୟା ମଳକିଂ ଦେବିଂ ପତ୍ର ମାଳାଦ୍ୟଳ କୃତାଙ୍ଗ,/ ଶିବ ବିଷ୍ଣୁ ପ୍ରିୟାଂ ଦେବ୍ୟାଙ୍ଗ ଶ୍ରୀମତୀ ସୁନ୍ଦର ପ୍ରଭାଂ।
ନମସ୍କୃତ୍ୟ ହ୍ୟାମଳକିଂ ଗତା ଦେବ ଦ୍ୱଜାସ୍ତଥା,/ବ୍ରହ୍ମା ବିଷ୍ଣୁ ଶିବ ଶାପି ଚକ୍ରାଧିଷ୍ଠା ନମାସ୍ଥିତା ସ୍ଥାତଃ। ।”
ବ୍ରହ୍ମା, ବିଷ୍ଣୁ, ଶିବ ପ୍ରଭୃତିଙ୍କ ସ୍ଥାନ ଅଧିକାର କରିଥିବାରୁ ଦେବତା ଓ ବ୍ରାହ୍ମଣମାନେ ଅମଳକୀ (ଅଁଳା)କୁ ପୂଜା କରିବାର କଥା। ଶିବ ଓ ବିଷ୍ଣୁଙ୍କର ଏହା ଅତି ପ୍ରିୟ ହୋଇ ଥିବାରୁ ତାକୁ ଦେବୀ ରୂପରେ ସମ୍ବୋଧନ କରାଯାଇଛି।ଅଁଳାକୁ ଦେଖି ଦେବତା ଓ ଋଷିମାନେ ସବୁବେଳେ ଖୁସି ହେଉଥିଲେ।
ଅଁଳାର ଉପକାରିତାର ବ୍ୟାପକ ପ୍ରଚାର ପ୍ରସାର ନିମନ୍ତେ ଅଁଳା ନବମୀର ସୃଷ୍ଟି ହୋଇଛି।କାର୍ତ୍ତିକ ମାସର ଶୁକ୍ଳ ନବମୀ ତିଥିରେ ଏହା ପଡ଼େ।ଏହାକୁ କେହି କେହି ଧାତ୍ରୀ ନବମୀ ବୋଲି ମଧ୍ୟ କହିଥାନ୍ତି।ଅଁଳା ବୃକ୍ଷ ମୂଳେ ହବିଷ୍ୟ କାରିଣୀ ବିଧବା ଓ ଅନ୍ୟାନ୍ୟମାନେ ବଟା ଅଁଳାରେ ବିଷ୍ଣୁ ପ୍ରତିମାକୁ ସ୍ନାନ କରାଇଥାନ୍ତି ଓ ସେହିଦିନୁ କାର୍ତ୍ତିକ ବ୍ରତର ଶେଷ ପର୍ଯ୍ୟନ୍ତ ନିଜର ସର୍ବାଙ୍ଗରେ ଅଁଳା ବଟା ବୋଳି ହୋଇ ସ୍ନାନ କରିଥାନ୍ତି। ହବିଷ୍ୟ କାରିଣୀମାନେ ଅଁଳା ନବମୀ ଦିନ ଅଁଳା ବୃକ୍ଷତଳେ ହବିଷ୍ୟ ରାନ୍ଧନ୍ତି।ମନ୍ଦିର ଚାରିପଟେ ବେଢ଼ା ବୁଲିଲା ଭଳି ଅଁଳା ବୃକ୍ଷ ଚାରିପଟେ ସେମାନେ ବୁଲନ୍ତି। ବୁଲିଲା ବେଳେ ସ୍ଥାନେ ସ୍ଥାନେ ନାମ କୀର୍ତ୍ତନ ମଧ୍ୟ ହୁଏ।ଅଁଳାର ଫଳ ପରିପକ୍ଵ ହେବା ସମୟରେ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ପକ୍ଷର ନବମୀ ତିଥିରେ ଧାତ୍ରୀ ସ୍ନାନ ବିଧି ପରମ୍ପରା ସୂତ୍ରରେ ଚଳି ଆସୁଅଛି। ଅଁଳା ନବମୀ ଦିନରୁ ଅଁଳାର ମାଳା ଦେବତାଲାଗି ହୋଇଥିବାରୁ ଏବଂ ସାଧାରଣ ଲୋକ ତାହା ଧାରଣ କରୁଥିବାରୁ ପଦ୍ମୋତ୍ତର ଖଣ୍ଡରେ ଲେଖାଅଛି :-
” ଧାତ୍ରୀଫଳ – ବିଲିପ୍ତାଙ୍ଗୋ ଧାତ୍ରୀଫଳ ବିଭୂଷିତଃ/ଧାତ୍ରୀଫଳ କୃତାହାରୋ ନରୋ ନାରାୟଣେ ଭବେତ୍।”
ଅଁଳା ନବମୀ ଓ ଜଗଦ୍ଧାତ୍ରୀ ପୂଜା ଏକଦିନକେ ପଡ଼େ।ଦୁର୍ଗାଙ୍କ ପୂଜା ଭଳି ଜଗଦ୍ଧାତ୍ରୀଙ୍କ ପୂଜା ଖୁବ୍ ଆଡମ୍ବର ସହକାରେ ହୁଏ ଏବଂ ତହିଁ ଆରଦିନ ମୂର୍ତ୍ତି ବିସର୍ଜନ ହୁଏ। ଅଁଳାର ଅନ୍ୟ ନାମ ଧାତ୍ରୀ।ଜୀବନକୁ ଧରି ରଖିବାରେ, ଧାରଣ କରିବାରେ ଏହା ଅତ୍ୟନ୍ତ ସାହାଯ୍ୟ କରେ ବୋଲି ଏହାର ନାମ ଏଭଳି ରଖା ଯାଇଛି।ଧାତ୍ରୀର ପୂଜା ଓ ଜଗତର ଧାତ୍ରୀ ଜଗଦ୍ଧାତ୍ରୀଙ୍କ ପୂଜା ଗୋଟିଏ ଦିନରେ ପଡ଼ିବାର ଯଥେଷ୍ଟ କିଛି କାରଣ ଥିବାର ମନେହୁଏ। ଅଁଳା ପରି ଅନ୍ୟ ଦୁଇଟି ପବିତ୍ର ବୃକ୍ଷ ହେଲେ ତୁଳସୀ ଓ ମାଳତୀ।ଏହି ତିନି ବୃକ୍ଷଙ୍କୁ ତିନି ଦେବୀଙ୍କ ସହ ତୁଳନା କରା ଯାଇଛି । ତିନି ଦେବୀଙ୍କର ବିଭିନ୍ନ ଗୁଣରୁ ଉତ୍ପତ୍ତି ହୋଇ ଥିବାର କଥା ପଦ୍ମ ପୁରାଣରୁ ଆନୀତ କାର୍ତ୍ତିକ ମାହାତ୍ମ୍ୟର ପଞ୍ଚଦଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି –
” ତିନି ଦେବୀଙ୍କ ତିନି ମଞ୍ଜି/ ବୁଣିଲେ ବିଷ୍ଣୁ ମନ ରଞ୍ଜି ।। ଶୀତଳ ଜଳ ବୃଷ୍ଟି କରି/ ଦେବେ ଚଳିଲେ ଯେଝା ପୁରୀ।। ଏହା ଉତ୍ତାରେ ବିଷ୍ଣୁ ସ୍ଥାନେ/ ବୃକ୍ଷ ଅଙ୍କୁରେ ପଞ୍ଚ ଦିନେ ।। ଅପୂର୍ବ ଶୋଭା ତିନି ଦ୍ରୁମ/ଏବେ କହିବା ତାଙ୍କ ନାମ ।। ଶୁଣ ରାଜନ ଦିବ୍ୟ ଜ୍ଞାନେ/ ଏ ବୃକ୍ଷ ତ୍ରିଗୁଣ ବିଧାନେ ।। ଯେ ଦେବୀ ଅଂଶେ ଯେଉଁ ଗୁଣ/ ବୃକ୍ଷ ବିଧାନେ ତାହା ଶୁଣ।। ରଜୋ ଗୁଣରେ ସରସ୍ଵତୀ/ ତା ‘ ଅଂଶେ ଧାତ୍ରୀ ଉତପତ୍ତି ।। ତୁଳସୀ ସତ୍ତ୍ଵ ଗୁଣେ ଜାତ/ ଗଭୀର ଅଂଶରେ ଉଦିତ ।। ରମା ଅଂଶରେ ତମୋ ଗୁଣେ/ ମାଳତୀ ଉପୁଜିଲା ବନେ।।”
ଉପରସ୍ଥ ବର୍ଣ୍ଣନାରୁ ଜଣା ଯାଏ ସରସ୍ୱତୀଙ୍କ ରଜୋ ଗୁଣରୁ ଧାତ୍ରୀ, ଗଉରୀଙ୍କର ସତ୍ତ୍ଵ ଗୁଣରୁ ମାଳତୀର ଜନ୍ମ। ବିଭିନ୍ନ ଦେବୀଙ୍କ ଅଂଶରୁ ଏହି ବୃକ୍ଷ ଗୁଡ଼ିକର ଜନ୍ମ ହିନ୍ଦୁ ତଥା ଭାରତୀୟ ମାନଙ୍କର ଆଧ୍ୟାତ୍ମିକ ଚିନ୍ତା ଧାରାକୁ ଅଧିକ ପ୍ରସାରିତ କରିବାରେ ଯଥାର୍ଥ ସମର୍ଥ ହୋଇଛି କହିଲେ ଅତ୍ୟୁକ୍ତି ଘଟିବ ନାହିଁ। ଅଁଳାର ବୈଶିଷ୍ଟ୍ୟ ବା ସୃଷ୍ଟି ସହିତ ଏହି ପର୍ବର ମହାତ୍ମ୍ୟ ବର୍ଣ୍ଣନା ଏହି ପ୍ରବନ୍ଧର ଉଦ୍ଦେଶ୍ୟ ହୋଇଥିବାରୁ ଧାତ୍ରୀ ବା ଅଁଳା ବିଷୟରେ ଅଧିକ ଆଲୋଚନା କରାଯାଇ ପାରେ।ଧାତ୍ରୀ ବୃକ୍ଷ ଭଗବାନ୍ ଶ୍ରୀ ବିଷ୍ଣୁ ଙ୍କର ଅତି ପ୍ରିୟ ବୃକ୍ଷ ଅଟେ।ଏହାର ମୂଳ ସବୁ ଦେବତା ଓ ମୁନିଋଷିଙ୍କର ଆଶ୍ରୟ ସ୍ଥଳ ବୋଲି ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି।କାର୍ତ୍ତିକ ମାସରେ ହବିଷ୍ୟ ଉଦ୍ଦେଶ୍ୟରେ ଏହାକୁ ସ୍ତ୍ରୀ ଲୋକମାନେ ଗ୍ରହଣ କଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାନ୍ତି।ଏଣୁ ଏ ବିଷୟରେ ପଦ୍ମ ପୁରାଣରେ ଉଲ୍ଲେଖ ଅଛି ଯାହାର ସାରାଂଶ ଏହିପରି… ଅଁଳା ଗଛ ଅତ୍ୟନ୍ତ ପବିତ୍ର । ତା ମୂଳରେ ବସିଲେ ସକଳ ପାପ କ୍ଷୟ ହୋଇଯାଏ। ତା ତୁଳସୀ ପତ୍ର ସହ ସମାନ। ଅଁଳା ପତ୍ର ରତ୍ନ ମଣି ସଦୃଶ।ଫଳ କାଞ୍ଚନ ପରି।କାର୍ତ୍ତିକ ମାସରେ ଅଁଳା ମୂଳେ ସକଳ ସୁର ମୁନିଙ୍କ ଗହଣରେ ସ୍ଵୟଂ ନାରାୟଣ ବିରାଜମାନ କରିଥାନ୍ତି।ଅଁଳା ଯଶ ଶ୍ରୀ ଆୟୁଷ ପ୍ରଦାୟକ। ତା ମୂଳରେ ଗୋବିନ୍ଦ ନାମ କୀର୍ତ୍ତନ କଲେ ଆତ୍ମା ବିଷ୍ଣୁ ପଦ ପ୍ରାପ୍ତି ହୋଇଥାଏ। “କାର୍ତ୍ତିକେ ଧାତ୍ରୀ ବୃକ୍ଷ ତଳେ/ ହବିଷ୍ୟ ଅନ୍ନ ଏକ ବେଳେ ।
ଯେ ଜନ କରିବ ଭୋଜନ/ ତା’ ପାପ ହୋଇବ ଦହନ।/ ଅଶୌଚ ଦ୍ରବ୍ୟ ଥିଲେ ଭକ୍ଷି / ଯେ ‘ ଦୋଷ ନଲାଗଇ କିଛି।
ନିର୍ମଳ ହୋଇବ ଶରୀର / ତେଣୁ ଅଅଁଳା ନାମ ତା’ର।” ତେଣୁ ଯଥାର୍ଥରେ କହିବାକୁ ଗଲେ କାର୍ତ୍ତିକ ମାସରେ ଅଁଳା ନବମୀର ତାତ୍ପର୍ଯ୍ୟ ଅନନ୍ୟ। ***
* କଣ୍ଟାବଣିଆ, ଯାଜପୁର
* ମୋ – ୯୪୩୭୮୫୪୧୭୫




