Orisha

ବାରିପଦା ଠାରେ ଜାତୀୟ କ୍ରୀଡା ଦିବସ -୨୦୨୫ ପାଳନ ଅବସରରେ ରାଲି ଅନୁଷ୍ଠିତ

ବାରିପଦା :ତା ୨୯-୦୮-୨୦୨୫ ରିଖ

ଅଗଷ୍ଟ ତା ୨୯ ରୁ ୩୧ ତାରିଖ ଜାତୀୟ କ୍ରୀଡା ଦିବସ ଅବସରରେ କ୍ରୀଡା,ଉତ୍ସାହ ଓ ଏକତାର ଦେଶ ବ୍ୟାପୀ ଉତ୍ସବ ପାଳନ ପରିପ୍ରେକ୍ଷୀରେ ଆଜି ବାରିପଦା ଠାରେ ଜିଲ୍ଲା କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ କ୍ରୀଡା ଛାତ୍ରବାସ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ, ମୟୁରଭଞ୍ଜ ଏଥେଲେଟିକ ଆସୋସିଏସନ ର ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ ଏବଂ ସ୍ୱତନ୍ତ୍ର ଅତିଥି ଭାବେ ଅନ୍ତର୍ଜାତୀୟ ବେଡ଼ମିଣ୍ଟନ ଖେଳାଳୀ ଶ୍ରୀ ଆୟୁଷ ପଟ୍ଟନାୟକ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅବସରପ୍ରାପ୍ତ ବରିଷ୍ଠ କ୍ରୀଡା ଅଧିକାରୀ ଶ୍ରୀ କୁମାର ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି ଏହି ଜାତୀୟ କ୍ରୀଡା ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଉଲ୍ଲେଖ କରିଥିଲେ। ଏହାପରେ ନିମନ୍ତ୍ରିତ ଅତିଥି ବୃନ୍ଦ ଓ ଉପସ୍ଥିତ ଅନ୍ୟାନ୍ୟ ସମସ୍ତେ ଭାରତୀୟ ହକି ଉଇଜାର୍ଡ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ତାଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି କହିଥିଲେ ଯେ ବର୍ତମାନର ବ୍ୟସ୍ତ ବହୁଳ ଆଧୁନିକ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଅନେକ ସମୟରେ ହଠାତ ଲୋକମାନେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗର ଶିକାର ହେଉଛନ୍ତି। ତେଣୁ ରୋଗ ଠାରୁ ଦୁରେଇ ରହି ନିଜ ଶରୀରକୁ ସୁସ୍ଥ ଓ ଫିଟ ରଖିବା ପାଇଁ ପ୍ରତ୍ୟେକ ଦିନ ଅତିକମରେ ଏକ ଘଣ୍ଟା ଖେଳ ପଡିଆରେ ଖେଳକୁଦରେ ବିତାଇବା ଉଚିତ। ଖେଳକୁଦ ମଣିଷକୁ ଶାରୀରିକ ଭାବେ ସୁସ୍ଥ, ମାନସିକ ଭାବେ ଶକ୍ତିଶାଳୀ କରିବା ସହିତ ସକାରାତ୍ମକ ଭାବନା ଉଦ୍ରେକ କରିଥାଏ। ଅତିରିକ୍ତ ଜିଲ୍ଲlପାଳ ମଧ୍ୟ ପିଲା ମାନଙ୍କୁ ଖେଳ ପ୍ରତି ଆକୃଷ୍ଟ ହୋଇ ଉତକର୍ଷତା ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି, ଆକ୍ରା( ଘାନା) ଠାରେ ଅନୁଷ୍ଠିତ ମେନ ଡବଲସ ବେଡ଼ମିଣ୍ଟନ ଗ୍ରାଣ୍ଡସ୍ଲାମ-୨୦୨୫ ରେ ରୌପ୍ୟ ପଦକ ହାସଲ କରିଥିବା ଅନ୍ତର୍ଜାତୀୟ ଖେଳାଳି ତଥା ଆମ ଜିଲ୍ଲା ପାଇଁ ଗର୍ବ ଆଣିଥିବା ଶ୍ରୀ ଆୟୁଷ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ ଏବଂ ଚଳିତ ବର୍ଷ ସେପ୍ଟେମ୍ବର ୨୧ରେ ଶୁଭାରମ୍ଭ ହେବାକୁ ଥିବା ସାଂସଦ ଖେଳ ମହୋତ୍ସବ ବିଷୟରେ ଘୋଷଣା କରିଥିଲେ। ଏହାପରେ ଉପସ୍ଥିତ ସମସ୍ତେ ନିଜନିଜ ପରିବାର ବର୍ଗ ଓ ବନ୍ଧୁ ପରିଜନ ଙ୍କୁ ଖେଳ ଓ ଫିଟନେସ କାର୍ଯ୍ୟକଳାପରେ ଉତ୍ସାହିତ କରିବା ପାଇଁ ଶପଥ ପାଠ କରିଥିଲେ। ପରିଶେଷରେ ବରିଷ୍ଠ ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ସୁଭାଶିଷ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ପରେ ନିମନ୍ତ୍ରିତ ଅତିଥି ବୃନ୍ଦ ପତାକା ଦେଖାଇ ରାଲି ର ଶୁଭାରମ୍ଭ କରିଥିଲେ। ଉକ୍ତ ରାଲିରେ କ୍ରୀଡା ଛାତ୍ରାବାସର ଛାତ୍ର ଛାତ୍ରୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡ଼ାବିତ, କ୍ରୀଡା ପ୍ରତିଭା, ସ୍ବେଛାସେବୀ ମାନେ ଅଂଶ ଗ୍ରହଣ କରି ହକି ରେ ଧ୍ୟାନଚାନ୍ଦଙ୍କ ଯାଦୁକରୀ ପ୍ରତିଭା ପ୍ରତି ସମ୍ମାନ ଜଣାଇ ଧ୍ୟାନଚାନ୍ଦ ଅମର ରହେ ଶ୍ଳୋଗାନ ସହ ସହର ପରିକ୍ରମା କରିଥିଲେ। ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ରୀଡ଼ା ସଂସ୍ଥା ର ପଦାଧିକାରୀ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ସହରର ବହୁ ବରିଷ୍ଠ କ୍ରୀଡ଼ାବିତଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Related Articles

Back to top button